ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଶନିବାର ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ । ୨୧ ତାରିଖରେ ରାଷ୍ଟ୍ରପତି ରାଉରକେଲା ଯାଇ ଏନଆଇଟିର ସମାବର୍ତନ ଉତ୍ସବରେ ଯୋଗଦେବା ସହ ଆଇଜିଏସ୍ ର ସୁପରସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କରିବେ । ୨୨ ତାରିଖରେ ରାଷ୍ଟ୍ରପତି ପୁରୀ ଓ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ ୨୧ ତାରିଖ ସକାଳେ ରାଷ୍ଟ୍ରପତି ରାଜଭବନରୁ ଭୁବନେଶ୍ୱର ଏୟାରପୋର୍ଟ ଯାଇ ସେଠାରୁ ଝାରସୁଗୁଡ଼ା ଏୟାରପୋର୍ଟରେ ପହଂଚିବେ । ଝାରସୁଗୁଡ଼ାରୁ ରାଷ୍ଟ୍ରପତି ରାଉରକେଲା ଗସ୍ତ କରିବେ । ସକାଳ ୧୧ଟାରେ ରାଉରକେଲା ଏନ୍‌ଆଇଟି ସମାବର୍ତନ ଉତ୍ସବରେ ଯୋଗଦେବେ । ଅପରାହ୍ଣ ୧୨ଟା ବେଳେ ରାଉରକେଲା ଏନଆଇଟି ଛାଡ଼ି ଅପରାହ୍ନରେ ରାଷ୍ଟ୍ରପତି ଆଇଜିଏଚର ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିବେ । ସେହିଦିନ ସନ୍ଧ୍ୟା ୬.୧୦ରେ ରାଷ୍ଟ୍ରପତି ଭୁବନେଶ୍ୱର ଆସି ରାଜଭବନରେ ରହିବେ ।

୨୨ ତାରିଖ ସକାଳ ୧୧ଟାରେ ରାଷ୍ଟ୍ରପତି ପୁରୀରେ ପହଂଚିବେ ଓ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ତା’ପରେ କୋଣାର୍କ ଯିବେ । ସେଠାରେ ବିଶ୍ରାମ ନେବେ । ଅପରାହ୍ଣ ୪.୧୫ରେ ରାଷ୍ଟ୍ରପତି କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବେ । ଏହା ପରେ ଅପରାହ୍ଣ ୫ଟା ବେଳେ ରାଷ୍ଟ୍ରପତି କୋଣାର୍କରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଆସିବେ ବୋଲି ସୂଚନା ମିଳିଛି ।

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନେଇ ରାଜ୍ୟ ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଶେଷ କରି କୋଭିଡ୍ ଗାଇଡ୍ ଲାଇନ୍ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ରାଷ୍ଟ୍ରପତିଙ୍କ ସଂସ୍ପର୍ଶରେ ଆସିବାକୁ ଥିବା ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *