ନୂଆଦିଲ୍ଲୀ ୨୬ /୯ :- ପ୍ରଧାନମନ୍ତ୍ରୀ ଆଜି ନିଜର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ର ୮୧ତମ ସଂସ୍କରଣକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ । ଆକାଶବାଣୀ ଓ ଦୂରଦର୍ଶନରେ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବ । ସେହିଭଳି ଏଆଇଆର ନ୍ୟୁଜ ଏବଂ ମୋବାଇଲ ଆପ୍‌ରେ ମଧ୍ୟ ମୋଦୀଙ୍କ ଏହି ଲୋକପ୍ରିୟ ସମ୍ବୋଧନ ଶୁଣିବାକୁ ମିଳିପାରିବ । 

ତିନି ଦିନିଆ ଆମେରିକା ଗସ୍ତ ଶେଷରେ ଏହି ରେଡିଓ କାର୍ଯ୍ୟକ୍ରମ ହେଉଛି । ପ୍ରଧାନମନ୍ତ୍ରୀ ଶନିବାର ନ୍ୟୁୟର୍କସ୍ଥିତ ସଂଯୁକ୍ତ ରାଷ୍ଟ୍ର ସାଧାରଣ ମହାସଭା (ୟୁଏନଜିଏ)କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ କ୍ୱାର୍ଡ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କ ସମେତ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମରିଶନ ଓ ଜାପାନର ପ୍ରଧାନମନ୍ତ୍ରୀ ୟୋଶିଧୀର ସୁଗାଙ୍କୁ ଭେଟିଥିଲେ । ମୋଦୀ ଆମେରିକା ଗସ୍ତ କାଳରେ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ସେହିପରି ସେ ୱାଶିଂଟନ ଡିସିରେ ବଡ଼ ବଡ଼ କଂପାନୀର ସିଇଓ ମାନଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୮୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଗତ ଅଗଷ୍ଟ ୨୯ ତାରିଖରେ ଥିଲା । ମୋଦୀ ସେହିଦିନ ବିହାର କୃଷି ବିଜ୍ଞାନ କେନ୍ଦ୍ର ଓ ତାମିଲନାଡୁର କାଞ୍ଜିରଙ୍ଗାଲ ପଂଚାୟତ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । 

Leave a Reply

Your email address will not be published. Required fields are marked *