ନୂଆଦିଲ୍ଲୀ ୨୬/୧୨ : କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ନିଜର ଏହି ସମ୍ବୋଧନରେ ସେ କହିଛନ୍ତି ଯେ, ଓମିକ୍ରନ୍‌ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ତେଣୁ ଏଭଳି ସ୍ଥିତିରେ ଆମକୁ ସତର୍କ ରହିବାକୁ ହେବ। 

ବଡ଼ଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପିଲାମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସେ କହିଛନ୍ତି ଯେ, ଏବେ ଏହି ବର୍ଗର ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ। ଆଗାମୀ ଜାନୁଆରୀ ୩ ତାରିଖ ଠାରୁ ପିଲାମାନଙ୍କୁ କରୋନା ଟିକା ଦିଆଯିବ। ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦିଆଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।  

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ସମସ୍ତେ ଜାଣିଛେ ଯେ, ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା କରୋନା ସମୟରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। କରୋନା ବିପକ୍ଷ ଲଢ଼ାଇରେ ଆମମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନେ ଦିନରାତି କାମ କରୁଛନ୍ତି। କରୋନା କାଳରେ ନିଜ ଜୀବନକୁ ବାଜି ଲଗାଇ ସେବା ଜାରି ରଖିଛନ୍ତି। ତେଣୁ ସରକାର ସେମାନଙ୍କ ପାଇଁ ଟିକାର ୩ୟ ଡୋଜ ଦେବେ। ଆଗାମୀ ଜାନୁଆରୀ ୧୦ ତାରିଖ ଠାରୁ ଏହା ଆରମ୍ଭ ହେବ। ସେହିପରି ୬୦ ବର୍ଷରୁ ଊର୍ଦ୍ଧ୍ବ ଆୟୁ ବର୍ଗର ବହୁବିଧ ରୋଗୀଙ୍କୁ ମଧ୍ୟ ତାଙ୍କର ଡାକ୍ତରଙ୍କ ପରାମର୍ଶ କ୍ରମେ କରୋନା ଟିକା ଦିଆଯିବ।