ନୂଆଦିଲ୍ଲୀ ୩୧/୧0: ଜିଓ ଓ ଗୁଗୁଲ୍ ପକ୍ଷରୁ ମିଳିତ ଭାବେ ଡିଜାଇନ୍ କରାଯାଇଥିବା ବହୁ ପ୍ରତିକ୍ଷୀତ ଜିଓଫୋନ୍ ନେକ୍ସଟ୍ ଦୀପାବଳିରେ ଷ୍ଟୋର୍‌ଗୁଡ଼ିକରେ ଉପଲବ୍ଧ ହେବ ବୋଲି ଆଜି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

ଏହା ହେଉଛି ଦୁନିଆର ସବୁଠୁ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥିବା ସ୍ମାର୍ଟଫୋନ୍ ଯାହାକୁ ୧୯୯୯ ଟଙ୍କା ଭଳି କମ୍ ଡାଉନ୍ ପେମେଂଟ୍ ଦେଇ କିଣିହେବ ଓ ବଳକା ରାଶିକୁ ୧୮ କିମ୍ବା ୨୪ ମାସିଆ ସହଜ କିସ୍ତି ଜରିଆରେ ପ୍ରଦାନ କରାଯାଇପାରିବ । 

କଂପାନି ପକ୍ଷରୁ ଜିଓଫୋନ୍ ନେକ୍ସଟ୍‌କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ପ୍ଲାନ୍ ସହ ବଣ୍ଡଲ୍‌ଡ କରାଯାଇଛି । ଏହା ଜରିଆରେ ଗ୍ରାହକମାନେ ପ୍ଲାନ୍ ସହି୍‌ତ ଜିଓଫୋନ୍ ନେକ୍ସଟ୍‌ର କିସ୍ତି ମଧ୍ୟ ସହଜରେ ଭରଣା କରିପାରିବେ ।

ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ କିସ୍ତିରେ ବିଭିନ୍ନ ବଣ୍ଡଲ୍‌ଡ ପ୍ଲାନ୍ ଘୋଷଣା କରାଯାଇଛି । ତେବେ ସହଜ କିସ୍ତି ବଦଳରେ ସିଧାସଳଖ ଜିଓଫୋନ ନେକ୍ସଟ୍ କିଣିବାକୁ ଚାହୁଁଥିବା ଗ୍ରାହକ ଏକକାଳୀନ ୬୪୯୯ ଟଙ୍କାରେ ଏହା କିଣିପାରିବେ । 

ଡୁଆଲ ସିମ୍‌୍ ସୁବିଧା ରହିଥିବା ଜିଓଫୋନ ନେକ୍ସଟ୍ ରେ ରହିଛି ଅନେକ ଅଭିନବ ଓ ଆକର୍ଷଣୀୟ ଫିଚର । ଏହି ଫୋନରେ ୫.୪୫ ଇଂଚର ଏଚଡି ଟଚ୍ ସ୍କ୍ରିନ ସହିତ କର୍ଣ୍ଣର ଗରିଲା ଗ୍ଲାସ୍ ଥ୍ରୀ ରହିଛି । ଏଥିସହିତ ୨ ଜିବି ରାମ୍‌, ୬୪ ବିଟ୍ ସିପିୟୁ ସହିତ କ୍ୱାଡକୋର୍ କ୍ୟୁଏମ୍ ୨୧୫ ଚିପ୍ ସେଟ୍ ଏବଂ ୩୨ ଜିବି ଇଂଟରନାଲ ମୋମାରି ସାଙ୍ଗକୁ ୫୧୨ ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରିବା ଭଳି ଏସଡି କାର୍ଡ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । 

ଜିଓଫୋନ ନେକ୍ସଟ୍ ରେ ସବୁଠାରୁ ଭଲ ରହିଛି କ୍ୟାମେରା ଓ ବ୍ୟାଟେରୀ କ୍ଷମତା । ୧୩ ମେଗା ପିକ୍ସେଲ୍ ପଛ କ୍ୟାମେରା ଓ ୮ ମେଗା ପିକ୍ସେଲ୍ ସାମ୍ନା ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ୍ ମୋଡ୍‌, ପୋଟ୍ରେଟ୍ ମୋଡ୍ ତଥା ଏଚ୍‌ଡିଆର୍ ମୋଡ୍ ସହିତ ଦୀପାବଳି ଭଲି ଭାରତୀୟ ପର୍ବ ପର୍ବାଣୀ ପାଇଁ ସ୍ୱତନ୍ତ୍ର ଫିଲଟର ଉପଲବ୍ଧ ରହିଛି । ଏହି ଫୋନରେ ୩,୫୦୦ ଏମ୍‌ଏଚ୍ କ୍ଷମତାର ବ୍ୟାଟେରୀ ରହିଛି ଯାହା ସାଧାରଣ ବ୍ୟବହାର କ୍ଷେତ୍ରରେ ଥରେ ସମ୍ପୂର୍ଣ୍ଣ ଚାର୍ଜ ହେଲେ ୩୬ ଘଂଟା ଚାଲିପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । 

ଜିଓ ଓ ଗୁଗୁଲ ପକ୍ଷରୁ ମିଳିତ ଭାବେ ବିକଶିତ ଏହି ଫୋନରେ ଜିଓ ଓ ଗୁଗୁଲର ସମସ୍ତ ଆପ୍ ଅପଟିମାଇଜ ହୋଇ ପ୍ରିଲୋଡେଡ୍ ରହିଛି । ଏଥି ସହିତ ସ୍ୱୟଂଚାଳିତ ସଫ୍ଟୱେର୍ ଅପଗ୍ରେଡ୍‌, ରିଡ୍ ଆଲାଉଡ୍‌, ଭାଷାନୁବାଦ, ଭଏସ୍ ଆସିଷ୍ଟାଂଟ ଭଳି ଅନେକ ସୁବିଧା ରହିଛି ।

କଂପାନି ପକ୍ଷରୁ ଚାରି ପ୍ରକାର ବଣ୍ଡଲ୍‌ଡ ପ୍ଲାନ୍ ଘୋଷଣା କରାଯାଇଛି, ଯେଉଁଥିରେ ୧୮ କିମ୍ବା ୨୪ ମାସରେ ପ୍ଲାନ୍ ସହ କିସ୍ତି ସହଜରେ ପୂରଣ କରାଯାଇପାରିବ । ପ୍ରଥମ ପ୍ଲାନ୍ ହେଉଛି “ଅଲୱେଜ୍ ଅନ୍ ପ୍ଲାନ୍ । ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୧୮ ମାସ ପାଇଁ ୩୫୦ ଟଙ୍କା ଲେଖାଏଁ ଓ ୨୪ ମାସ ଲାଗି ୩୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ଗ୍ରାହକମାନଙ୍କୁ ପ୍ଲାନ୍ ସହିତ ମାସିକ ୫ ଜିବି ଡାଟା ଓ ୧୦୦ ମିନିଟ୍ ପ୍ରତି ମାସ ଭଏସ୍ କଲିଂ ସୁବିଧା ମିଳିବ ।

ଦ୍ୱିତୀୟ ପ୍ଲାନ୍ ହେଉଛି ଲାର୍ଜ ପ୍ଲାନ୍ ଯେଉଁଥିରେ ୧୮ ମାସର କିସ୍ତି ନେଲେ ମାସକୁ ୫୦୦ ଟଙ୍କା ଓ ୨୪ ମାସର କିସ୍ତି ନେଲେ ମାସକୁ ୪୫୦ ଲେଖାଏଁ ଦେବାକୁହେବ । ଏହି ପ୍ଲାନ୍ ସହ ପ୍ରତିଦିନ ୧.୫ ଜିବି ଡାଟା ଓ ଏହା ସହିତ ଅସୀମିତ ଭଏସ୍ କଲ ସୁବିଧା ମିଳିବ ।

ତୃତୀୟ ପ୍ଲାନ୍ ହେଉଛି ଏକ୍ସଏଲ୍ ପ୍ଲାନ୍ ଯେଉଁଥିରେ ପ୍ରତିଦିନ ୨ ଜିବି ଡାଟା ଓ ଅସୀମିତ ଭଏସ୍ କଲ୍ ସୁବିଧା ମିଳିବ ଏବଂ ୧୮ ମାସ ଅବଧି ଲାଗି କିସ୍ତି ଆକାରରେ ୫୫୦ ଟଙ୍କା ଓ ୨୪ ମାସ ଅବଧି ଲାଗି କିସ୍ତି ଭାବେ ପ୍ରତି ମାସରେ ୫୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । 

ଯେଉଁ ଗ୍ରାହକମାନେ ଅଧିକ ପରିମାଣର ଡାଟା ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଡବଲ୍ ଏକ୍ସଏଲ୍ ପ୍ଲାନ୍ ଘୋଷଣା କରାଯାଇଛି । ଏହି ପ୍ଲାନ୍‌ରେ ପ୍ରତିଦିନ ୨.୫ ଜିବି ଡାଟା ଓ ଅସୀମିତ ଭଏସ୍ କଲ୍ ସୁବିଧା ମିଳିବ । ଏଥିରେ ୧୮ ମାସ ଲାଗି ୬୦୦ ଟଙ୍କାର କିସ୍ତି ଓ ୨୪ ମାସ ଲାଗି ୫୫୦ ଟଙ୍କାର କିସ୍ତି ଦେବାକୁ ପଡ଼ିବ ।

ଏହି ଅବସରରେ ଖୁସି ବ୍ୟକ୍ତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଡି ଅମ୍ବାନି କହିଛନ୍ତି ଯେ, “ଉତ୍ସବ ସମୟରେ ଭାରତୀୟମାନଙ୍କ ଲାଗି ଏହି ଡିଭାଇସ୍‌କୁ ଆଣିବାରେ ଗୁଗୁଲ୍ ଓ ଜିଓ ଟିମ୍ ସଫଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *