vigilance

ଭୁବନେଶ୍ୱର 0୭ /୧୨ – ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଦୁର୍ନୀତି । ବିଶେଷ ଭାବରେ ସରକାରୀ ବାବୁମାନଙ୍କ ଦୁର୍ନୀତି ସୀମା ପାର କଲାଣି । ବିନା ପିସିରେ ଆଉ ସରକାରୀ ବାବୁମାନଙ୍କ କଲମ ଚାଲୁନି । ବଡ଼ ବଡ ଟେଣ୍ଡର ଠାରୁ ନେଇ ଛୋଟ ଛୋଟ ବିଲ୍ ମଧ୍ୟ ପାସ୍ କରାଇଦେବା ପାଇଁ ବଡ଼ ବାବୁମାନଙ୍କୁ ହାତଗୁଞ୍ଜା ଆବଶ୍ୟକ ପଡୁଛି।

ଯାହାକୁ ନେଇ ଗତ କିଛି ଦିନ ହେବ ରାଜ୍ୟରେ ଆକ୍ଟିଭ୍ ମୋଡରେ ରହିଛି ଭିଜିଲାନ୍ସ । ପ୍ରତିଦିନ ଭିଜିଲାନ୍ସ ଜାଲରେ କେହି ନା କେହି ସରକାରୀ କର୍ମଚାରୀ ଛନ୍ଦି ହୋଇପଡୁଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆଜି ।

ଗୋଟିଏ ବିଲ୍ ପାସ କରାଇଦେବା ପାଇଁ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳ ।

ପୂର୍ବରୁ କାମଦେବଙ୍କ ନାମରେ ଅନେକ ଅଭିଯୋଗ ରହିଥିବା ବେଳେ ଆଜି ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡିବସିଛି ଭିଜିଲାନ୍ସ ।

ଏହାପରେ ଯନ୍ତ୍ରୀଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଭୁବନେଶ୍ୱର ସ୍ଥିତ ଗଙ୍ଗନଗର ବାସଭବନରେ ଭିଜିଲାନ୍ସ ଟିମ୍ ପହଞ୍ଚି ଚଡାଉ ଜାରି ରଖିଥିବା ସୂଚନା ମିଳିଛି ।