ରାଜଧାନୀରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ବିରୋଧ ଦେଖା ଦେଇଛି। ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ନେଇ ବିରୋଧୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିକଟରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିଲା। ଯାହାକୁ ନେଇ ସାଧାରଣ ଲୋକେ ବିରୋଧ କରିଛନ୍ତି। କିନ୍ତୁ ଆଜି ବିରୋଧୀ ଦଳ ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି।

ବିଏମସି ପକ୍ଷରୁ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଜିଜିଆ କର କହିଛନ୍ତି। ଏପରିକି ରାଜରାସ୍ତାରେ ବିଜେପି ଓ କଂଗ୍ରେସ ରାଲି କରି ଏହାର ଦୃଢ଼ ପ୍ରତିବାଦ କରିଛନ୍ତି। ଭୁବନେଶ୍ୱର ଜିଲ୍ଲା ବିଜେପି ଆଜି ବିଏମସି କାର୍ଯ୍ୟାଳୟ ଘେରାଉ କରିଥିଲା। ଭୁବନେଶ୍ୱର ଜିଲ୍ଲା ବିଜେପିର ସଭାପତି ବାବୁ ସିଂହ କହିଛନ୍ତି, ବିଏମସି ଯେଉଁଭଳି ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରିଛି, ତାହା ଲୋକଙ୍କୁ ବହୁତ ବାଧିଛି। ଏହାକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଲଢ଼େଇ ଆହୁରି ଜୋରଦାର୍ ହେବ ବୋଲି କହିଛନ୍ତି ବାବୁ ସିଂହ।