ପଞ୍ଜାବ ୩୦/୦୯:ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଉଥିବା ନେଇ ହେଉଥିବା ଆଲୋଚନାରେ ବିରାମ ଲଗାଇଛନ୍ତି ନିଜେ କ୍ୟାପଟେନ । ସେ କହିଛନ୍ତି କି, ଖୁବଶୀଘ୍ର କଂଗ୍ରେସ ଛାଡିବାକୁ ଯାଉଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କ୍ୟାପଟେନ କହିଛନ୍ତି କି, ଯେଉଁଠି ସ୍ୱାଭିମାନ ଓ ଆତ୍ମସମ୍ମାନ ଉପରେ ଆଞ୍ଚ ଆସୁଛି ସେଠାରେ ସେ ରହିବା ସମ୍ଭବ ନୁହେଁ ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବାର ଗୋଟିଏ ଦିନ ପରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କ୍ୟାପଟେନ କହିଛନ୍ତି ଯେ, ସେ ଏବେ କଂଗ୍ରେସରେ ଅଛନ୍ତି କିନ୍ତୁ ଆଗକୁ କଂଗ୍ରେସରେ ରହିବେ ନାହିଁ । କଂଗ୍ରେସ ତରଫରୁ ତାଙ୍କୁ କରାଯାଇଥିବା ବ୍ୟବହାର ସହିବାର କ୍ଷମତା ତାଙ୍କର ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ୫୦ ବର୍ଷ ପରେ ମୋ ସଚ୍ଚୋଟପଣିଆକୁ ନେଇ ସନ୍ଦେହ କରିଛନ୍ତି, ଯାହାକି ତାଙ୍କ ପାଇଁ ଘୋର ଅପମାନ ବୋଲି ସେ କହିଛନ୍ତି ।ଅନ୍ୟପଟେ ଦିଲ୍ଲୀରେ ଥିବା କ୍ୟାପଟେନଙ୍କୁ ବୁଝାଇବାକୁ କଂଗ୍ରେସର ବରିଷ୍ଠ ନେତାମାନେ ପ୍ରୟାସ ଆରମ୍ଭ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ ଓ କମଲନାଥ କ୍ୟାପଟେନଙ୍କୁ ଭେଟିବାକୁ ଚେଷ୍ଟା କରୁଥିବା ବେଳେ କ୍ୟାପଟେନ ସ୍ପଷ୍ଟ କରିଛନ୍ତି କି ସେ କୌଣସି ପରିସ୍ଥିତିରେ ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିବେ ନାହିଁ ।ଉଲ୍ଲେଖଯୋଗ୍ୟ ଗତକାଲି ଗୃହମନ୍ତ୍ରୀ ଅମିତ ଶାହା, ଆଜି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ଭେଟିବା ପରେ କ୍ୟାପଟେନ ବିଜେପିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ କ୍ୟାପଟେନଙ୍କ ବୟାନ ଆସିବା ପରେ ଏହି ଚର୍ଚ୍ଚା ଥମିଛି । ହେଲେ କ୍ୟାପଟେନ କଂଗ୍ରେସ ଛାଡିବା ସହ ରାଜନୀତି ଛାଡୁଥିବା କଥା ବି ରାଜନୈତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି ।