ସାରସକଣା,୨୭।୯-ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଜାଲଦା ପଂଚାୟତ ଅଧିନସ୍ଥ ବଣବୁଡାମରା ଗ୍ରାମରେ ଦେଖିବାକୁ ମିଳିଛି କରୁଣ ଦୃଶ୍ୟ । ଜାତୀୟ ରାଜପଥ ନିକଟରୁ ୨କିମି ଦୂର ବଣବୁଡାମରା ଗ୍ରାମରେ ବସବାସ କରୁଛନ୍ତି ସୀତାରାମ ନାଏକଙ୍କ ପରିବାର । ପରିବାର କହିଲେ ବୁଝାଏ ତିନିଜଣ । ଦୁଇ ଝିଅର ବାହାଘର ପରେ ସାନ ଝିଅ ବିଚିତ୍ରା ନାଏକ , ସ୍ତ୍ରୀ ସୁଦେବୀକୁ ନେଇ ସୀତାରାମଙ୍କ ପରିବାର । ପାଂଚଟି ଗାଇ ରଖି ସେମାନଙ୍କ ଯତ୍ନ ମଧ୍ୟ ନେଉଛନ୍ତି । ବୟସର ଅପରାହ୍ନରେ ସମସ୍ତ ସରକାରୀ ମୈାଳିକ ସୁବିଧାରୁ ବଂଚିତ ରହି ଦୂର୍ଦ୍ଦିନରେ ଦିନ କାଟୁଛନ୍ତି ଏହି ପରିବାର । ଲଗାତାର ଭାବେ ବର୍ଷା ପରେ ପୂର୍ବରୁ ଦରଭାଙ୍ଗି ହୋଇ ପଡିଥିବା ଚାଳ ଏବେ ସମ୍ପୂର୍ଣ ରୂପେ ଭାଙ୍ଗିଯାଇ ବସବାସ କରିବା ଅନୁପଯୋଗୀ ହୋଇଯାଇଛି । ପୂର୍ବରୁ କୈାଣସି ପ୍ରକାର ଚାଳକୁ ମରାମତି କରୁଥିଲେ ମାତ୍ର ଦୀର୍ଘ ତିନିମାସ ଧରି ଜ୍ବର ଲାଗିରହିବା ଫଳରେ ଏବେ ବୃଦ୍ଧାବସ୍ଥାରେ ଚାଲିବାକୁ ମଧ୍ୟ ସକ୍ଷମ ନଥିବା ଯୋଗୁଁ ମରାମତି କରିନପାରି ଚାଳ ଭୁଷିଡିପଡିବା ସହିତ କାନ୍ଥ ମଧ୍ୟ ଧସି ଯାଇଛି । ସୀତାରାମଙ୍କ କହିବା ମୁତାବକ ଗ୍ରାମ ପଲ୍ଲୀସଭା ସମୟରେ ସରକାରୀ ଆବାସ ଯୋଗାଇଦେବାକୁ ବାରମ୍ବାର ଅନୁରୋଧ ସତ୍ବେ ଜାଲଦା ପଂଚାୟତ କିମ୍ବା ବ୍ଲକ ପ୍ରଶାସନ ତରଫରୁ କୈାଣସି ପଦକ୍ଷେପ ନିଆଯାଇନାହିଁ । ସ୍ତ୍ରୀ ସୁଦେବୀ ନାଏକଙ୍କ କହିବା ମୁତାବକ ଜାଲଦା ପଂଚାୟତର ସରପଂଚ ଉତମ କୁମାର ଦିଗାରଙ୍କୁ ବାର୍ଦ୍ଧକ୍ୟ ଭତା ପାଇଁ ବାରମ୍ବାର ଅନୁରୋଧ ସତ୍ବେ ସରପଂଚ କୁହନ୍ତି ଯେ ତୁମର ବୟସ ହୋଇନାହିଁ , ବୟସ ହେଲେ ଦିଆଯିବ । ମାତ୍ର ଆଧାର ତଥ୍ୟ ମୁତାବକ ସୀତାରାମଙ୍କ ବୟସ ୬୩ବର୍ଷରୁ ଉର୍ଦ୍ଧ ହେବ । ସାରସକଣା ତହସିଲ ବିଭାଗର ଭୁରୂଷାଣି ରାଜସ୍ବ ନୀରିକ୍ଷକ ଗଗନ ଦଳେଇଙ୍କୁ ପଚାରିବାରୁ ସେ କହିଥିଲେ ସେମିତି କୈାଣସି ଖବର ଆମ ପାଖରେ ନାହିଁ । ବାତ୍ୟା ପରେ ସରକାରୀ ସ୍ତରରେ କ୍ଷୟକ୍ଷତିର ହିସାବ କିଭଳି କରାଯାଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଉଛି । ତେବେ ବିଜେଡି ଦଳ ତରଫରୁ ତାଙ୍କୁ ଏକ ପଲିଥିନ ଯୋଗାଇଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ସରକାରୀ ଯୋଜନାକୁ କିଭଳି ଭାବେ ବାଟବଣା କରାଯାଉଛି ତାହା ସମସ୍ତଙ୍କୁ ଚକିତ କରିଛି । ସୀତାରାମଙ୍କୁ ଆବାସ ଯୋଜନାରେ ସାମିଲ କରି ସରକାରୀ ଆବାସ ସହିତ ବାର୍ଦ୍ଧକ୍ୟ ଭତା ଯୋଗାଇଦେବାକୁ ସାଧାରଣରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *