ସିନାପାଲି,୮।୮(ନିପ୍ର): ନୂଆପଡା ଜିଲ୍ଲା ସିନାପାଲି ସ୍ଥିତ ହାଇସ୍କୁଲପଡା ( ପଲ୍ଲୀଜାଗରଣପଡା , ୱାର୍ଡ ନଂ.୩ ) ଠାରେ ଏକ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ନୂଆପଡା ଜିଲାପାଳ ହେମକାନ୍ତ ସାଏ ଙ୍କୁ ଆଜି ସିନାପାଲି ଠାରେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଯୁବକ ମାନେ ଏକତ୍ରିତ ହୋଇ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ ଏହିଠାରେ ୨୫୦ ଟି ପରିବାରର ବିଭିନ୍ନ ସଂପ୍ରଦାୟର ଲୋକେ ବାସବାସ କରୁଥିବା ବେଳେ , ସମୁଦାୟ ଜନସଂଖ୍ୟା ଉଭୟ ପୁରୁଷ ଓ ମହିଳା ମିଶି ୯୬୦ ଜଣ । ଏଠାରେ ପ୍ରତିବର୍ଷ ସିନାପାଲି ସହରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଉଦନ୍ତୀ ମହୋତ୍ସବ , ମହାଲକ୍ଷ୍ମୀ ପୂଜା , ରଜପର୍ବ , ଗଣେଶପୂଜା ଆଦି ଆୟୋଜିତ ହୋଇଥାଏ। ଏହି ପଡାରେ ବିଭିନ୍ନ ସ୍ବୟଂ ସହାୟକ ଦଳର କାର୍ଯ୍ୟକ୍ରମ ଏବଂ ପଡାବାସୀଙ୍କ ବିବାହୋତ୍ସବ , ପର୍ବପର୍ବାଣୀ ନିମନ୍ତେ ଗୋଷ୍ଠୀ ଗୃହ ନଥିବାରୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଭୂ-ଲେଖ ଜମି ବିବରଣୀର ମୌଜା- ସିନାପାଲି , ଖାତା ନଂ.୫ , ପ୍ଳଟ ନଂ.୧୫୩ , ରକବା – ଏ.୦.୧୧ ଡି . ଜମି ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସିନାପାଲିଙ୍କ ନାମରେ ଅଧଗ୍ରହଣ ହୋଇଅଛି । ଏହି ଜମି ଉପରେ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ କରାଗଲେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ସିନାପାଲି ବିଡିଓ ଙ୍କୁ ଲିଖିତ ଭାବରେ ଜଣାଇଥିବା ଅଭିଯୋଗ କରିଛନ୍ତି । ହେଲେ ବିଡିଓ ମହାଶୟ ଏହି ଜମି ଉପର ଗୋଷ୍ଠୀ ଗୃହ ନିର୍ମାଣ ପାଇଁ କଥା ଦେବା ସହ ଜମିର ସୀମା ନିର୍ଦ୍ଧାରଣ ପାଇଁ ସିନାପାଲି ତହସିଲଦାରଙ୍କୁ ଜଣାଇ ଥିଲେ । ଏହାପରେ ଏହି ଜମି ଉପରେ ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ଖଡିଆଳ ବିଧାୟକଙ୍କୁ ଭେଟି ଆର୍ଥିକ ସହାୟତା ପାଇଁ ନିବେଦନ ମଧ୍ୟ କରାଯାଇଥିଲା । ବିଧାୟକ ମହାଶୟ ମଧ୍ୟ ନିବେଦନକୁ ରକ୍ଷାକରି ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ଟ . ୨୫୦୦୦୦ / – ( ଦୁଇଲକ୍ଷ ପଚାଶ ହଜାର ଟଙ୍କା ) ତାଙ୍କ ବିଧାୟକ ପାଣ୍ଠିରୁ ଅର୍ଥ ମଂଜୁର କରିଥିଲେ । ସିନାପାଲିର କନିଷ୍ଠ ଯନ୍ତ୍ରୀ ମଧ୍ୟ ଫିଜିବିଲିଟି ରିପୋର୍ଟ ପାଇଁ ଏହି ଜମି ପରିଦର୍ଶନ କରିସାରିଛନ୍ତି । ଫିଜିବିଲିଟି ରିପୋର୍ଟ ପ୍ରଦାନ ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ ଫୋନ୍ ରିସିଭ୍ କରୁନାହାଁନ୍ତି କିମ୍ବା ସାକ୍ଷାତ କଲେ ସେ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଉନାହାଁନ୍ତି । ବର୍ତ୍ତମାନ ବିଡିଓ ମହାଶୟଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ପ୍ରସ୍ତାବିତ ଜମି ଉପରେ ଆଦର୍ଶ ଗୋଷ୍ଠୀ ଗୃହ ନିର୍ମାଣ ହୋଇପାରିବ ନାହିଁ ବୋଲି ମନା କରିଦେଇଥିବା ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଗୃହ ନିର୍ମାଣ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବିଡିଓ ମହାଶୟଙ୍କ ଏଭଳି ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରସ୍ତାବିତ ଜମି ଉପରେ ଗୃହ ନିର୍ମାଣ ପାଇଁ ବିଡିଓ ମହାଶୟ ପ୍ରଥମେ ରାଜି ହେବା ଓ ପରେ ମନା କରିବା ଭଳି ଦୋମୁହାଁ ନୀତି ଅବଲମ୍ବନ କରିବା ପଛରେ କୌଣସି ଅସାଧୁ ବ୍ୟକ୍ତିଙ୍କ ହାତ ଥିବା ସେମାନେ ଅଭିଯୋଗ କରୁଛନ୍ତି। ଏହା ଉପରେ ଉଚିତ ତଦନ୍ତ କରି ଗୋଷ୍ଠୀ ଗୃହ ନିର୍ମାଣ ରେ ସହାୟକ ହେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ହାଇସ୍କୁଲ ପଡା ର ଜନସାଧାରଣ ଦାବି କରିଛନ୍ତି।
ସିନାପାଲିରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା