ରାଉରକେଲା ଠାରେ ଆଇଜିଏଚ ପରିସରରେ ସେଲ ଦ୍ୱାରା ନିର୍ମିତ ସୁପରସ୍ପେସାଲିଟି ଡାକ୍ତରଖାନାକୁ ଆଜି ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ସେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଏହି ଡାକ୍ତରଖାନା ରାଉରକେଲା ସମେତ ଓଡିଶା ତଥା ଛତିଶଗଡ଼, ଝାଡଖଣ୍ଡ ବାସୀଙ୍କ ଉପକାରରେ ଆସିବ । ୩୦୦ କୋଟି ଟଙ୍କା ବ୍ୟୟରେ ଏନବିସିସି କମ୍ପାନୀ ଦ୍ୱାରା ୨ ବର୍ଷରେ ନିର୍ମିତ ଏହି ଡାକ୍ତରଖାନାରେ ବହୁ ରୋଗର ଚିକିତ୍ସା ବ୍ୟବସ୍ଥା ରହିଛି । ଏହା କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ସହର ବାସିଙ୍କ ଲାଗି ନିଶ୍ଚୟ ଖୁସିର ଖବର , ଏହା ସହ ୬ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଆପଣମାନଙ୍କୁ ଦେଇଥିବା କଥା ପୂର୍ଣ୍ଣ ହୋଇଛି । ଓଡିଆ ଭାଷାର ସୁନ୍ଦରତା ତାହାର ମଧୁରତାକୁ ନେଇ ସେ ତାଙ୍କ ଭାଷଣ ଆରମ୍ଭ କରି ରାଉରକେଲାର ଅର୍ଥକୁ ବୁଝାଇଥିଲେ ।

ସେ କହିଥିଲେ ଏହାର ଅର୍ଥ ଆପଣଙ୍କ ଗାଁ । ଓଡିଶାର ଉନ୍ନତି, ସମୃଦ୍ଧି ତାର ନିଜସ୍ୱ ପରିଚୟ, ସମ୍ରାଟ ଅଶୋକଙ୍କ କଥା କହି ଓଡିଶାର ବିରତ୍ୱର ଗାଥା ଆଜିବି ଆମସମସ୍ତଙ୍କୁ ପ୍ରେରଣା ଦେଇଥାଏ । ଓଡିଆ ଭାଷା ତାର ସ୍ୱତନ୍ତ୍ରତା ବଜାୟ ରଖିଛି ଏହି ମାଟିକୁ ପ୍ରକୃତିର ଅଦ୍ଭୁତ ବରଦାନ ରହିଛି । ଫଳରେ ଏହି ପାଣିପବନ, ଖଣି ଆଦିରେ ଓଡିଶା ଦିନକୁ ଦିନ ଆଗଭର ହୋଇ ଆତ୍ମ ନିର୍ଭରତା ଓ ଦେଶର ଆର୍ଥିକ ବିକାଶ କ୍ଷେତ୍ରରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିଛି । ଭାରତର ପ୍ରଥମ ଇସ୍ପାତ କାରଖାନା ଭାବେ ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇଥିଲା । ଏହି କାରଖାନା ଦେଶର ଉନ୍ନତି କ୍ଷେତ୍ରରେ ତାର ସ୍ୱତନ୍ତ୍ର ଭୂମିକା ନିର୍ବାହ କରିଛି । ଔଦ୍ୟୋଗିକ ବିକାଶ ସମେତ କଳା ସଂସ୍କୃତି ଆଦିର ବିକାଶ ନିତ୍ୟାନ୍ତ ଆବଶ୍ୟକ, ତେଣୁ ଏହି କାରଖାନା ତାର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଲାଗି ଏନେଇ ନିଶ୍ଚୟ ଯତ୍ନଶିଳ ରହିଥିବ । ରାଉରକେଲାର ପରିଚୟ ଆରଏସପି, ଏନଆଇଟି, ବିପିୟୁଟି ସହ ଏହି ସ୍ୱାସ୍ଥ୍ୟ ସେବା ଆଜିଠାରୁ ଯୋଡି ହୋଇଗଲା । ଆମ ବ୍ୟବସ୍ଥା ଭିତରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଅନ୍ୟତମ ବୃହତ କର୍ଯ୍ୟ । ଏଥିଲାଗି ସେଲ କର୍ତୁପକ୍ଷ ଯେଉଁ ସବୁ ଉଦ୍ୟମ ଜାରି ରଖିଥିଲେ ଓ ଆଗକୁ ଦୁଇପାଦ ଆଗେଇ ଆସି ଏହି ଡାକ୍ତରଖାନା ପ୍ରତିଷ୍ଠା କରି ଲୋକଙ୍କ ପାଇଁ କଲ୍ୟାଣ କଲେ ସେଥିଲାଗି ସେ ସେଲ କର୍ତୁପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ସାଂସଦ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପୂର୍ବରୁ ମହାମହିମ ରାଷ୍ଟ୍ରପତି ଏନଆଇଟି ଯାଇ ସେଠାରେ ୧୮ତମ ସମାବର୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସେଠାରେ ଛାତ୍ରଛାତ୍ରୀ ମାନଙ୍କୁ ଦିକ୍ଷାନ୍ତ ଭାଷଣ ଦେଇ ନୀତି ନିୟମ ଭିତରେ ନିଜକୁ ପରିଚାଳିତ କରି ଏକ ସୁନ୍ଦର ମଣିଷ ହେବା ସହ ଦେଶର ଟେକ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ

Leave a Reply

Your email address will not be published. Required fields are marked *