ନୂଆଦିଲ୍ଲୀ: ଜୁନ୍‌ ପହିଲାରୁ ବ୍ୟବସାୟୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତିକର ଖବର । ଶସ୍ତା ହେଲା କମର୍ସିଆଲ ଗ୍ୟାସ ଦର । ଏଲପିଜି ସିଲିଣ୍ଡରର ଦାମ୍‌ରେ ବହୁତ ହ୍ରାସ ଘଟିଛି। ଜୁନ୍‌ ୧ ଠାରୁ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ ସିଲିଣ୍ଡର ପିଛା ୧୩୫ ଟଙ୍କା ହ୍ରାସ କରାଯାଇଛି। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍‌ କମାଇଛନ୍ତି।

ସୂଚନା ଅନୁସାରେ, ଆଜିଠାରୁ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଆଗ ଅପେକ୍ଷା ୧୩୫ ଟଙ୍କା କମ୍‌ରେ ବିକ୍ରୟ କରାଯିବ। ସେହି ହିସାବରେ, ଦିଲ୍ଲୀରେ ୧୯ କେଜିଆ କମର୍ସିଆଲ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ପିଛା ୨,୩୫୪ ଟଙ୍କାରେ ବିକ୍ରୟ ହେଉଥିବା ଏବେ ତାହା ୨,୨୧୯ ଟଙ୍କାରେ ବିକ୍ରୟ ହେବ । ସେହିପରି କୋଲକତାରେ କମର୍ସିଆଲ ସିଲିଣ୍ଡର ପିଛା ୨୪୫୪ ଥିବା ବେଳେ ଏବେ ତାହା ୨୩୨୨କୁ ଖସି ଆସିଛି। ମୁମ୍ବାଇରେ ପୂର୍ବରୁ ଥିବା ଦାମ ୨୩୦୬ ଖସି ୨୧୭୦.୫୦ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ୧୯ କେଜିଆ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ ୨୫୦୭ ଟଙ୍କାରୁ ୨୩୭୩ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ମାସରେ ଘରୋଇ ଗ୍ୟାସ୍‌ର ଦାମ୍‌ ବଢ଼ିନଥିଲା। ହେଲେ ମେ’ ମାସରେ ଗ୍ୟାସ୍‌ ଦର ୨ ଥର ବଢ଼ିଥିଲା । ମେ’ ୭ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ିଥିଲା। ଏହାପରେ ମେ’ ୧୯ରେ ପୁଣି ଥରେ ଉଭୟ ଘରୋଇ ଓ କମର୍ସିଆଲ ସିଲିଣ୍ଡର ଦାମ ବଢ଼ିଥିଲା। ୧୪ କେଜି ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ସେତେବେଳେ ୩.୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୧୯ କେଜି ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୮ଟଙ୍କା ବୃଦ୍ଧି ପାଇଥିଲା । ଏଥିଯୋଗୁ ଖାଉଟିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ଏଥିଯୋଗୁ ସେମାନଙ୍କ ପକେଟ୍‌ ଉପରେ ଅଧିକ ବୋଝ ପଡିବା ସହ ଘରୋଇ ବଜେଟ ବିଗିଡ଼ିବାରେ ଲାଗିଛି। ଏବେ କେବଳ କମର୍ସିଆଲ ଗ୍ୟାସ ଦର କମିଥିବା ବେଳେ ଘରୋଇ ଗ୍ୟାସ ଦର କେବେ କମୁଛି ତାହା ଉପରେ ଖାଉଟିଙ୍କ ନଜର।