୧୪ ବର୍ଷର ଅଭିଯାନ ସହ ଦ୍ୱିତୀୟ ଥର ଟ୍ରଫି ଟକ୍କରରେ ଅବତୀର୍ଣ୍ଣ ହୋଇ ଅଷ୍ଟ୍ରେଲିଆ ପ୍ରଥମ ଥର ଟି-ଟ୍ୱେଣ୍ଟି ବିଶ୍ୱବିଜେତା ହେବାର ପ୍ରତୀକ୍ଷିତ ସଫଳତା ଲାଭ କରିଛି। ୪୫ ମ୍ୟାଚ୍ର ଘମାଘୋଟ ଲଢ଼େଇ ପରେ ଟ୍ବେଣ୍ଟି-୨୦ କ୍ରିକେଟ୍କୁ ମିଳିଛି ନୂଆ ବିଶ୍ୱ ବିଜେତା । ଗତକାଲି ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୮ ଓ୍ୱିକେଟରେ ହରାଇ ଟି-ଟ୍ୱେଣ୍ଟି ଟ୍ରଫି ନିଜ ନାଁରେ କରିଛି କଙ୍ଗାରୁ ବାହିନୀ ।

ଦୁବାଇରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ୭ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆଗରେ ୧୭୩ ରନ୍ ଟାର୍ଗେଟ ଠିଆ କରିଥିଲା ନ୍ୟୁଜିଲାଣ୍ଡ । ତୃତୀୟ ଓଭରରେ ପାଭିଲନ୍ ଫେରିଥିଲେ କ୍ୟାପଟେନ୍ ଆରୋନ୍ ଫିଞ୍ଚ । ପରେ ପାଳି ସମ୍ଭାଳିଥିଲେ ଡେଭିଡ୍ ଓ୍ୱାର୍ଣ୍ଣର ଓ ମିଚେଲ୍ ମାର୍ଶ । ନ୍ୟୁଜିଲାଣ୍ଡ ବୋଲରଙ୍କୁ ପ୍ରହାର କରିଥିଲେ । ଦୁହେଁ ୫୯ ବଲରେ ୯୨ ରନ୍ ପିଟିଥିଲେ । ଓ୍ୱାର୍ଣ୍ଣର ୩୮ ବଲରୁ ୫୩ ରନ୍ (୪ ଚୌକା, ୧ ଛକା)କରି ଆଉଟ୍ ହୋଇଥିଲେ । ପରେ ମିଚେଲ୍ ମାର୍ଶ ଓ ମ୍ୟାକ୍ସଓ୍ୱେଲ୍ ଯୋଡି ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ୩୧ ବଲରୁ ୩ ଚୌକା ଓ ୪ଟି ଛକା ବଳରେ ଅର୍ଦ୍ଧଶତକ ପୂରା କରିଥିଲେ ମାର୍ଶ । ମ୍ୟାକ୍ସଓ୍ୱେଲ ଓ ମାର୍ଶ ଯୋଡ଼ି ୬୬ ରନ୍ ପାର୍ଟନରସିପ୍ କରିଥିଲେ । ଏହା ଫଳରେ ହାତରେ ୮ଟି ଓ୍ୱିକେଟ୍ ଓ ୭ଟି ବଲ୍ ବାକି ଥାଇ ଟାର୍ଗେଟ ପୂରଣ କରିଥିଲା ଅଷ୍ଟ୍ରେଲିଆ । ମାର୍ଶ ଅପରାଜିତ ୭୭ ଓ ମ୍ୟାକ୍ସଓ୍ୱେଲ୍ ୨୮ ରନ୍ କରିଥିଲେ । ଏବେ ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ କ୍ରିକେଟ୍‌ର ବିଶ୍ୱ ବିଜେତା କ୍ଲବ୍‌ରେ ଭାରତ, ପାକିସ୍ତାନ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‌ ଓ ଶ୍ରୀଲଙ୍କା ସହ ସାମିଲ ହୋଇଛି। ଆଉ ସପ୍ତମ ସଂସ୍କରଣରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ମିଳି ଯାଇଛି ଷଷ୍ଠ ବିଜେତା।

ତେବେ ଅଷ୍ଟ୍ରେଲିୟା ବିଶ୍ୱକପ୍ ଜିତିବା ପରେ ଟିମ୍ ର ସବୁ ଖେଳାଳୀ ମାନେ ସେଲିବ୍ରେସନ କରିଥିଲେ । ହେଲେ ସେଲିବ୍ରେଟ୍ କରିବା ସମୟର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଅଷ୍ଟ୍ରେଲିୟାର ଖେଳାଳୀ ମାନେ ବିଜୟ ହାସଲ କରିଥିବା ଖୁସିରେ ସ୍ପୋର୍ଟସ୍ ଶୁ(ଜୋତାରେ) ବିୟର୍ ଭର୍ତ୍ତି କରି ପିଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଆଇସିସି ତରଫରୁ ସୋମବାର ଦିନ ଏହି ଭିଡିଓଟିକୁ ସେୟାର୍ କରାଯାଇଛି । ଭିଡିଓରେ ମେଥ୍ୟୁ ୱାଡେ ଓ ମାର୍କସ୍ ଷ୍ଟୋଇନିସ୍ ଜୋତାରେ ବିୟର୍ ରଖି ପିଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *