ବରିଷ୍ଠ ବଙ୍ଗାଳୀ ଫିଲ୍ମ ନିର୍ଦ୍ଦେଶକ ତରୁଣ ମଜୁମ୍‌ଦାରଙ୍କର ୯୨ ବର୍ଷ ବୟସରେ ଆଜି ନିଧନ ହୋଇଛି। ଆଜି ସକାଳ 11ଟା 17 ମିନିଟ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୟସାଧିକ ରୋଗରେ ସେ ଦୀର୍ଘ ଦିନ ହେଲାଣି ପୀଡ଼ିତ ଥିଲେ। କୋଲକାତାର ଏସ୍‌ଏସ୍‌କେଏମ୍‌ର ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତରୁଣ ମଜୁମଦାରଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ତାଙ୍କୁ ପଦ୍ମଶ୍ରୀ, ଜାତୀୟ ପୁରସ୍କାର, BFJA ପୁରସ୍କାର, ଚଳଚ୍ଚିତ୍ର ପୁରସ୍କାର ସମେତ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି ।

କିଡନୀ ଜନିତ ସମସ୍ୟା ହେତୁ ତାଙ୍କୁୁ ଜୁନ୍ 14 ରେ କୋଲକାତାର SSKM ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହଠାତ୍ ରବିବାର ତାଙ୍କ ଅବସ୍ଥା ବିଗିଡି ଯାଇଥିଲା, ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ଆଜି (ସୋମବାର) ସକାଳେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ଶେଷରେ ସେ ପ୍ରାଣ ତ୍ୟାଗ କରିଛନ୍ତି । ତରୁଣ ମଜୁମଦାରଙ୍କ ଦେହାନ୍ତରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।

ଶହ ଶହ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ତରୁଣ ମଜୁମ୍‌ଦାର ଓଡ଼ିଆ ଫିଲ୍ମ ‘ଅକୁହା କଥା’ରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ୧୯୮୫ ମସିହାରେ ସେ ଅଲୋର ପିପସା ଫିଲ୍ମରେ ବସନ୍ତ ଚୌଧୁରୀଙ୍କ ସହ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ। ପ୍ରଥମେ ସେ ଫିଲ୍ମ ନିର୍ମାତାଙ୍କ ଗ୍ରୁପ୍‌ ଯାତ୍ରୀକରେ କାମ କରିଥିଲେ। ଏଥିରେ ତରୁଣ ମଜୁମଦାରଙ୍କ ସହ ଦିଲ୍ଲୀପ ମୁଖୋପାଧ୍ୟାୟ ଓ ସଚିନ୍‌ ମୁଖାର୍ଜୀ ମଧ୍ୟ ଥିଲେ। ଏହା ପରେ ୧୯୬୩ ମସିହାରେ ସେ ଯାତ୍ରିକ ଛାଡ଼ି ଦେଇଥିଲେ। ତରୁଣଙ୍କର ଲୋକପ୍ରିୟ ଫିଲ୍ମ ଗୁଡ଼ିକ ମଧ୍ୟରେ ବାଳିକା ବଧୂ, କୁହେଳୀ, ଶ୍ରୀମନ ପୃଥ୍ଵୀରାଜ, ଦାଦର କୀର୍ତ୍ତି, ସ୍ମୃତି ତୁକୁ ଠକ, ପଲଟକ, ଗଣଦେବତା ଆଦି ରହିଛି।

ନିଜ ଫିଲ୍ମ କ୍ୟାରିୟରରେ ସେ ଉତ୍ତମ କୁମାର, ସୁଚିତ୍ରା ସେନ୍‌, ଛବି ବିଶ୍ୱାସ, ସୌମିତ୍ର ଚାଟାର୍ଜୀ, ସନ୍ଧ୍ୟା ରାୟ ପ୍ରମୁଖ କଳାକାରଙ୍କ ସହ କାମ କରିଛନ୍ତି। ୧୯୯୦ ମସିହାରେ ତରୁଣ ମଜୁମଦାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୨୧ରେ ତାଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ସହ ପାଞ୍ଚଟି ଫିଲ୍ମ ଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା।