ଭୁବନେଶ୍ୱର: ଆଜି ପୁଣି ଜଣେ ଯୁକ୍ତ ଦୁଇ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଛାତ୍ରଙ୍କ ମୃତଦେହ ଭୁବନେଶ୍ୱର ସ୍ଥିତି ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ସୂର୍ଯ୍ୟ ପ୍ରକାଶ ପଲେଇ। ସେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ । ଗତକାଲି ରାତିରେ ସୂର୍ଯ୍ୟପ୍ରକାଶ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ସନ୍ଦେହରେ ଇନ୍ ଫୋ ଭ୍ୟାଲି ଥାନାରେ ପରିବାର ଲୋକ ଏତଲା ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ କଲେଜ କର୍ତ୍ତୃପକ୍ଷ ତରବରିଆ ଭାବେ କବାଟ ଭାଙ୍ଗି ମୃତଦେହକୁ ଏମସକୁ ନେଇଥିଲେ । ତଦନ୍ତ ପାଇଁ କଲେଜରେ ସାଇଣ୍ଟିଫିକ ଟିମ୍ ପହଞ୍ଚିଛି।

ଅନ୍ୟପଟେ ସାମ୍ନାକୁ ଆସିଲା ସୂର୍ଯ୍ୟପ୍ରକାଶଙ୍କ ସୁଇସାଇଡ ନୋଟ । ମୃତ୍ୟୁ ପୂର୍ବର ଅକୁହା କଥା ଲେଖି ଜୀବନ ହାରିଛନ୍ତି ସୂର୍ଯ୍ୟପ୍ରକାଶ । ୪୧୦ ନମ୍ବର ରୁମରୁ ସୁଇସାଇଡ଼ ନୋଟକୁ ଜବତ କରିଛି ପୋଲିସ । ସୁଇସାଇଡ ନୋଟ ଜବତ ପରେ ବଢ଼ିଛି ପୋଲିସର ସନ୍ଦେହ । ଧଳା କାଗଜରେ ଓଡ଼ିଆରେ ଲେଖାଯାଇଛି ସୁଇସାଇଡ ନୋଟ । ମୁଁ କେଉଁ କାରଣରୁ ମରୁଛି, ତାହା କହି ପାରୁନି । ସବୁ ଭୁଲ ମୋର, କଲେଜର କିଛି ଭୁଲ ନାହିଁ । ଏହାସହ ସାଙ୍ଗମାନଙ୍କ ଭବିଷ୍ୟତ ନଷ୍ଟ ନହେଉ ବୋଲି ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି । ସେହିପରି ସୁଇସାଇଡ ନୋଟରେ I Love You Mama ବୋଲି ଲେଖା ଯାଇଥିବା ଜଣାପଡିଛି ।

ସୂଚନାମୁତାବକ; ଗତକାଲି ସୂର୍ଯ୍ୟ ପ୍ରକାଶ ନିଜ ରୁମ୍‌ରେ କବାଟ ଦେଇ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ଛାତ୍ର ଜଣଙ୍କ ଫ୍ୟାନରେ ଝୁଲିଥିବା ହଷ୍ଟେଲର କିଛି ଛାତ୍ର ଦେଖିଥିଲେ। ଏନେଇ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇଥିଲେ। ହଷ୍ଟେଲ ୱାର୍ଡେନ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ। ପରେ କଲେଜ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେବା ସହ ସୂର୍ଯ୍ୟ ପ୍ରକାଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।