ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧିକୁ ବୃଦ୍ଧି କଲେ କେନ୍ଦ୍ର ସରକାର । ୨୦୨୨ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣା ରାଶନ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ଆରମ୍ଭ ହୋଇଥିବା ଏହି ଯୋଜନାର ସମୟ ସୀମା ୩୦ ନଭେମ୍ବରରେ ଶେଷ ହେଉଥିଲା।

ଏହା ପୂର୍ବରୁ ମଧ୍ୟ କରୋନା କାରଣରୁ କେନ୍ଦ୍ର ସରକାର ନଭେମ୍ବର ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଦେଇଆସୁଥିଲେ । ଏବେ ଏହାକୁ ଆଉ ୪ ମାସ ପାଇଁ ବୃଦ୍ଧି କରାଯାଇଛି । ଅନ୍ୟପଟେ ଆଜି ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହେବ । କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରେସମିଟ୍ କରି ଗଣମାଧ୍ୟମକୁ ତମାମ ସୂଚନା ଦେଇଛନ୍ତି ।

ଦୁୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମହାମାରୀ ସମୟରେ ସରକାର ଆଉ ଆଠ ମାସ ପାଇଁ ଗରିବ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ଯୋଗାଇ ଦେବାକୁ ସେ ଅନୁରୋଧ କରିଥିଲେ । ଚଳିତବର୍ଷ ମେ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା । ଯାହାକି ନଭେମ୍ବର ମାସରେ ଶେଷ ହେବାକୁ ଥିଲା । ହେଲେ ଏହା ପରେ ମଧ୍ୟ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇଦେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ କ୍ୟାବିନେଟରେ ଏହାକୁ ମଞ୍ଜୁରୀ ମିଳିବା ସହିତ ଆଉ ୪ ମାସ ପାଇଁ ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରାଯାଇଛି |

Leave a Reply

Your email address will not be published. Required fields are marked *