ପୁରୀ: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚି ପରିକ୍ରମା ମଡେଲର ଅନାବରଣ କରିବା ସହ ପ୍ରକଳ୍ପ ପାଇଁ ଜମି ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ମହାଯଜ୍ଞର ଆଜି ହେଉଛି ପୂର୍ଣ୍ଣାହୂତି । ଆଜି ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଗଜପତି ମହାରାଜ, ବାଚସ୍ପତି ଓ ଆଇନ ମନ୍ତ୍ରୀ ଉପସ୍ଥିତ ଅଛନ୍ତି ।

ସକାଳ ୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳା ବିଜେ, ୧୦ଟା ୧୫ରୁ ୧୦.୩୦ ମଧ୍ୟରେ ଶିଳା ସ୍ଥାପନ ଓ ପୁଷ୍ପାଞ୍ଜଳି ପାଇଁ ସମୟ ସ୍ଥିର ହୋଇଛି । ଏହାପରେ ପୂର୍ଣ୍ଣହୂତି ହେବ । ଏହି ଅବସରରେ ପରିକ୍ରମା ପ୍ରକଳ୍ପର ଏକ ମଡ଼େଲ ଅନାବରଣ କାର୍ଯ୍ୟ କରାଯିବ । ଏହାସହ ମହାପ୍ରଭୁଙ୍କ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ।

ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ପ୍ରାୟ ୨ଘଣ୍ଟା ଧରି ଚାଲିବ । ଏହି ପ୍ରକଳ୍ପରେ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ସୁରକ୍ଷା କରିଡ଼ର ସହ ସବୁଜ ବଳୟ ସୃଷ୍ଟି ଓ ସୌନ୍ଦର୍ଯ୍ୟକରଣ କରାଯିବ । ଭକ୍ତଙ୍କ ପାଇଁ ଆନୁସଙ୍ଗିକ ସୁବିଧା ସୁଯୋଗ ପାଇଁ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସ୍‌ପି କନୱର ବିଶାଲ ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରାୟ ୨୫ ପ୍ଲାଟୁନ୍‌ ପୋଲିସ ଫୋର୍ସ, ୩ଜଣ ଅତିରିକ୍ତ ଏସ୍‌ପି, ୧୦ ଜଣ ଡିଏସ୍‌ପି, ୪୦ ଜଣ ଇନ୍ସପେକ୍ଟର ଓ ଶହେରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। କିଛି ସମୟ ପାଇଁ ବଡ଼ଦାଣ୍ଡକୁ ନୋ ମ୍ୟାନ୍‌ ଲ୍ୟାଣ୍ଡରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ଯେଉଁଭଳି ଭାବେ ବାଧାପ୍ରାପ୍ତ ନ ହୁଏ, ସେନେଇ ବ୍ୟବସ୍ଥା ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବଡ଼ଦାଣ୍ଡରେ ମଧ୍ୟ କଟକଣା ରହିବ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡାକ୍ତରଖାନା ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ।

Leave a Reply

Your email address will not be published. Required fields are marked *