କାବୁଲ: ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ଏହାର ତ୍ରୀବତା ଥିଲା ୫ ଦଶମିକ ୩। ଭୂକମ୍ପରେ ବହୁ ଧନଜୀବନ ନଷ୍ଟ ହୋଇଛି। ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତାହତଙ୍କ ସଂଖ୍ୟା ଅଧିକ ହେବା ଆଶଙ୍କା କରାଯାଉଛି । ବାଦଘିସ ପ୍ରଜାତନ୍ତ୍ର ଅନ୍ତର୍ଗତ କାଦିସ ଜିଲ୍ଲାରେ ଏହି ଭୂକମ୍ପ ସବୁଠାରୁ ଅଧିକ କ୍ଷତି ଘଟାଇଛି ।

ଘର ଭୁଶୁଡ଼ିବା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୫ ମହିଳା ଓ ୪ ଶିଶୁ । ୪ ଜଣରୁ ଅଧିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସେହିପରି ମୁକର ଜିଲ୍ଲା ବି ଭୂକମ୍ପରେ ପ୍ରଭାବିତ ହୋଇଛି । ତାଲିବାନ ଶାସନ ପରଠାରୁ ଦେଶରେ ଅରାଜକତା, ବିପର୍ଯ୍ୟୟ, କ୍ଷୁଧା, ଅନାହାର ମୃତ୍ୟୁ ଆଦି ଜାରି ରହିଥିବାବେଳେ ଏହି ଭୂକମ୍ପ ଲକ୍ଷାଧିକ ଲୋକଙ୍କ ଲାଗି ପୁଣି ସଙ୍କଟ ସୃଷ୍ଟି କରିଛି ।