ନୂଆଦିଲ୍ଲୀ: ଅପରାହ୍ଣ ୩ଟି ୩୦ ମିନଟରେ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିଶନ । ୫ ରାଜ୍ୟରେ ନିର୍ବାଚନ ହେବା ନେଇ ପ୍ରକାଶ ପାଇବ ତାରିଖ । ଏହି ରାଜ୍ୟ ଗୁଡିକ ହେଉଛନ୍ତି ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡ । ଏହି ସମସ୍ତ ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

ଦେଶର କୋଭିଡ୍-୧୯ ପରିସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଗୁରୁବାର ଦିନ ସମୀକ୍ଷା ବୈଠକ ପରେ କମିସନ୍‌ ଉପରୋକ୍ତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନିମନ୍ତେ ସମୟ ସାରଣୀ ଘୋଷଣା କରିବାକୁ ଯାଉଛନ୍ତି।

ଦେଶରେ କରୋନାଭାଇରସ୍ ସଂକ୍ରମଣ ଏବଂ ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌ର ଦ୍ରୁତ ବିସ୍ତାର ହେତୁ ବିଧାନସଭା ନିର୍ବାଚନ ବାତିଲ କରିବା ଲାଗି କେତେକ ସାମାଜିକର୍ମୀ ଏବଂ ନେତା ଦାବି କରୁଥିଲେ। କିନ୍ତୁ, ନିର୍ବାଚନ ସ୍ଥଗିତ ନ କରିବାକୁ ସବୁ ରାଜନୈତିକ ‌ଦଳର ନେତାମାନେ କହୁଛନ୍ତି ବୋଲି ପୂର୍ବରୁ ନିର୍ବାଚନ କମିସନ୍‌ ଘୋଷଣା କରିଥିଲା।

ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଟିକାକରଣ ଅଭି‌ଯାନ ବ୍ୟାପକ କରିବା ସହ ଭୋଟ୍‌ ସମୟରେ କୋଭିଡ୍‌ ସୁରକ୍ଷା ନିୟମାବଳି ପାଳନ ସଂକ୍ରାନ୍ତରେ ସୁନିଶ୍ଚିତ ହେବାକୁ ନିର୍ବାଚନ କମିସନ୍‌ ରାଜ୍ୟ ସରକାରୀ କର୍ତ୍ତୃପକ୍ଷମାନଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ମେ ମାସରେ ଶେଷ ହେଉଥିବା ବେଳେ ବାକି ୪ଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ମାର୍ଚ ମାସରେ ବିଭିନ୍ନ ତାରିଖରେ ଶେଷ ହେଉଛି। ନିର୍ବାଚନ କମିଶନ ଆଜି ତାରିଖ ଘୋଷଣା କରିବା ପୂର୍ବରୁ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣଙ୍କ ଆଲୋଚନା କରିଥିଲେ।

ଗତବର୍ଷ ଏପ୍ରିଲ ମାସରେ କରୋନାର ଦ୍ୱିତୀୟ ୱେଭରେ ଦେଶବାସୀ ଛଟପଟ ହେଉଥିଲେ। ଏହି ସମୟରେ ବେଙ୍ଗଲ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରାଯାଇଥିଲା। ତେବେ ଗୋଟିଏ ରାଲି ସର୍ବାଧିକ ୫୦୦ ଲୋକ ଯୋଗ ଦେଇପାରିବେ ବୋଲି କମିଶନ ସର୍ତ୍ତ ରଖିଥିଲେ। ହେଲେ ରାଜନୀତିକ ଦଳର ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହେଉଥିବା ଦେଖିବାକୁ ମିଳିଥିଲା।

One thought on “ଆଜି ୩ଟା ୩୦ରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ହେବ ତାରିଖ ଘୋଷଣା”

Leave a Reply

Your email address will not be published. Required fields are marked *