ନୂଆଦିଲ୍ଲୀ: ଭାରତର ଖାଇବା ତେଲ ପ୍ରସ୍ତୁତକାରୀ ଫର୍ଚ୍ୟୁନ ବ୍ରାଣ୍ଡ ତାର ଦାମ ହ୍ରାସ କରିଛି । କିଛି ଦିନ ପୂର୍ବେ ସରକାରଙ୍କ ନିର୍ଦ୍ଦେଶ ପରେ ତେଲ କମ୍ପାନି ଗୁଡିକ ମୂଲ୍ୟ କମ କରିବାକୁ ଘୋଷଣା କରିଥିଲେ । ଏବେ ପୁଣି ଥରେ ଫର୍ଚ୍ୟୁନ ବ୍ରାଣ୍ଡ ନାଁରେ ଖାଇବା ତେଲ ବିକ୍ରି କରୁଥିବା ଆଦାନୀ ୱିଲମାର ଖାଇବା ତେଲ ମୂଲ୍ୟ କମାଇବାକୁ ଘୋଷଣା କରିଛି । ବୈଶିକ ସ୍ତରରେ ଦାମ ହ୍ରାସ ପାଇବା ଯୋଗୁଁ ଖାଇବା ତେଲ ଦର ୩୦ ଟଙ୍କା ପର୍ଯ୍ୟନ୍ତ କମାଇଛି ଆଦାନୀ ଓ୍ବିଲମାର୍‌ । ସରକାରଙ୍କ ଆଦେଶ ପରେ ଆଦାନୀ ଗ୍ରୁପର କମ୍ପାନୀ ଆଦାନୀ ଓ୍ବିଲମାର୍‌ ଫର୍ଚ୍ୟୁନ ତେଲ ଦର ହ୍ରାସ କରିବାକୁ ଘୋଷଣା କରିଛି ।

ଫର୍ଚ୍ୟୁନ ସୋୟାବିନ ତେଲର ମୂଲ୍ୟ ଲିଟର ପିଛା ୧୯୫ ଟଙ୍କାରୁ ହ୍ରାସ ହୋଇ ୧୬୫ ଟଙ୍କା କରାଯାଇଛି । ସେହିପରି ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ୨୧୦ ଟଙ୍କାରୁ ହ୍ରାସ କରି ଲିଟର ପିଛା ୧୯୯ ଟଙ୍କା କରାଯାଇଛି । ସୋରିଷ ତେଲର ଏମଆରପି ଲିଟର ପିଛା ୧୯୫ ଟଙ୍କାରୁ କମ କରି ୧୯୦ ଟଙ୍କା କରାଯାଇଛି । ଅନ୍ୟପଟେ ଫର୍ଚ୍ୟୁନ ରାଇସ ବ୍ରାନ ତେଲର ମୂଲ୍ୟ ୨୨୫ ଟଙ୍କାରୁ କମ କରି ଲିଟର ପିଛା ୨୧୦ ଟଙ୍କା କରାଯାଇଛି।

ସୋୟାବିନ ତେଲରେ ସବୁଠାରୁ ଅଧିକ ଦାମ ହ୍ରାସ ପାଇଛି । ଏହା ପୂର୍ବରୁ ଧାରା ବ୍ରାଣ୍ଡର ଖାଇବା ତେଲ ବିକ୍ରି କରୁଥିବା କମ୍ପାନୀ ମଦର ଡାୟରୀ ମଧ୍ୟ ସୋୟାବିନ ଏବଂ ରାଇସ୍‌ ବ୍ରାନ୍‌ ଦାମରେ ଲିଟର ପିଛା ୧୪ ଟଙ୍କା କମାଇଥିଲା । ସୂଚନାଯୋଗ୍ୟ ନିକଟରେ ଏଡିବଲ୍‌ ଅଏଲ ଆସୋସିଏସନକୁ ତୁରନ୍ତ ଦାମ ଘଟାଇବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର । ଏହି ଆଦେଶରେ ଅଗ୍ରାଧିକାର ଭିତ୍ତିରେ ତୁରନ୍ତ ଖାଇବା ତେଲ ଦାମ ୧୫ ଟଙ୍କା ହ୍ରାସ କରିବାକୁ କୁହାଯାଇଥିଲା ।

ଖାଇବା ତେଲ ହ୍ରାସ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ‘ଆଦାନୀ ଓ୍ବିଲମାର ପକ୍ଷରୁ ଖାଦ୍ୟ ତେଲ ଦାମ ଘଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ବାରା ସାଧାରଣ ଜନତାଙ୍କୁ ଆଶ୍ବସ୍ତି ମିଳିବ । ବୈଶିକ ସ୍ତରରେ ତୈଳ ଦର ହ୍ରାସ ପାଇବା ଯୋଗୁଁ ଏହାର ଫାଇଦା ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବଡ କଥା ହେଉଛି ଗତ ମାସରେ ମଧ୍ୟ ତୈଳ ଦର କମାଯାଇଥିଲା’।