ଭଦ୍ରକ: ସକାଳୁ ସକାଳୁ ଭଦ୍ରକ ଜିଲ୍ଲାର ବରପଦା ଠାରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଆହତ ଦୁଇ ଅପରାଧୀ ହେଲେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ପ୍ରହଲ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି । ୨୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି ।

୬ ଜଣ ଅପରାଧୀ ବରପଦା ନିକଟରେ ଥିବା ସୂଚନା ପାଇଁ ପୋଲିସ ଚଢ଼ାଉ କରିଥିଲା । ଏତିକିବେଳେ ଅପରାଧୀଙ୍କ ସହ ମୁହାଁମୁହିଁ ହୋଇଥିଲା ପୋଲିସ ।ଏହାସହିତ ଅପରାଧୀ ଦୁଇ ଜଣ ପୋଲିସକୁ ପାଲଟା ଆକ୍ରମଣ କରିଥିବା ସୂଚନା ମିଳିଛି । ଏଥିରେ ଗ୍ରାମାଞ୍ଚଳ ଖାନା ଅଧିକାରୀଙ୍କ ସହ କେତେକ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଦୁଇ ଜଣ ଅପରାଧୀ ହେଲେ ସୋର ଅଞ୍ଚଳର ପ୍ରହ୍ଲାଦ ଦାସ ଓ ନୀଳ ଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ । ବାଧ୍ୟ ହୋଇ ପୋଲିସ ଏନକାଉଣ୍ଟର କରିଥିଲା । ଗୁଳି ଖାଇ ଆହତ ହୋଇଛନ୍ତି ପ୍ରହ୍ଲାଦ ଓ ସୁଶାନ୍ତ । ଅନ୍ୟ ଚାରି ଜଣଙ୍କୁ ଅଟକ ରଖିଛି ପୋଲିସ ।

ସେମାନଙ୍କ ନିକଟରୁ ୪ଟି ମାଗାଜିନ୍, ୩ଟି ମାଉଜର୍, ମାରଣାସ୍ତ୍ର ଜବତ କରାଯାଇଛି । ଅଭିଯୁକ୍ତ ମାନେ ପୂର୍ବରୁ ଅନେକ ମାମଲାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ଏହି ଡକାୟତମାନେ ଭଦ୍ରକରେ ବିଭିନ୍ନ ଡକାୟତ ଓ ଏଟିଏମରୁ ଟଙ୍କା ଲୁଟ ଘଟଣାର ସଂପୃକ୍ତ ଥିବା ସୂଚନା ମିଳିଛି । ଅଟକ ୪ ଜଣଙ୍କୁ ଥାନାରେ ପଚରାଉଚରା ଜାରି ରଖିଛି ପୋଲିସ ।

ଗତ ୨୬ ତାରିଖ ରାତିରେ ଭଦ୍ରକ ଚରମ୍ପା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ବେଳେ ପ୍ରାୟ ୨୯ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା । ଏହି ଲୁଟ୍‌ ମାମଲାରେ ପ୍ରହ୍ଲାଦ ଓ ସୁଶାନ୍ତ ସମ୍ପୃକ୍ତ ଥିବା ଜଣାପଡ଼ିଛି ।