ଭୁବନେଶ୍ବର ୬।୧୨: ଷଷ୍ଠ ଶ୍ରେଣୀରେ ଫେଲ୍ ହୋଇଥିବା ନକଲି ଡାକ୍ତର ପ୍ରଭାସ ଫେସ୍‌ବୁକ୍‌, ଟ୍ବିଟର୍‌, ଇନ୍‌ଷ୍ଟାଗ୍ରାମ୍‌, ଡେଟିଂ ଓ ମାଟ୍ରିମୋନି ସାଇଟ୍‌ ପ୍ରୋଫାଇଲ୍‌‌‌ରେ ଏମ୍‌କେସିଜିରେ ପଢ଼ୁଥିବା ଡାକ୍ତରୀ ଛାତ୍ର ବୋଲି ଲେଖୁଥିଲା । ଆଉ ବିଜ୍ଞାପନକୁ ଆଧାର କରି ଅନେକ ଝିଅଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ସୁଯୋଗ ଦେଖି ଯୁବତୀମାନଙ୍କୁ ଡାକୁଥିଲେ ଆଉ ସେମାନଙ୍କ ମୋବାଇଲ, ପର୍ସ ଓ ଟଙ୍କା ନେଇ ଚମ୍ପଟ ମାରୁଥିଲେ । ପ୍ରଭାସଙ୍କ ବିରୋଧରେ ଏକାଧିକ ଯୁବତୀ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ତାକୁ ଗିରଫ କରାଯାଇଛି ।

ମାଟ୍ରିମୋନିଆଲ ସାଇଟ୍‌ରେ ମିଠା ମିଠା କଥା କହି ଡାକ୍ତରର ପରିଚୟ ଦେଇ ସୁନ୍ଦରୀ ଯୁବତୀଙ୍କ ହୃଦୟ ଜିତୁଥିଲେ । ସେମାନଙ୍କୁ ବଡ ବଡ ରେଷ୍ଟୁରାଣ୍ଟ, ସପିଂ ମଲକୁ ବୁଲେଇ ନେଇ ଚଞ୍ଚକତା କରି ଲୁଟି ନେଉଥିଲେ ମୋବାଇଲ ସହ ଲକ୍ଷାଧିକ ଟଙ୍କା । ଏପରି ୪୨୦ ପ୍ରେମିକ ପ୍ରବର ଲୁଟେରାକୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ କଟକ ବଡମ୍ବା ଅଞ୍ଚଳର ପ୍ରଭାସ ଦାସ ।

ସୂଚନାମୁତାବକ , କିଛିଦିନ ତଳେ ଜଗସିଂହପୁର ରଘୁନାଥପୁର ଅଞ୍ଚଳର ରଶ୍ମିତା (ଛଦ୍ମନାମ)ଙ୍କୁ ମାଟ୍ରିମୋନିଆଲ ସାଇଟରୁ ବିବାହ ପାଇଁ ପ୍ରସ୍ତାବ ଆସିଥିଲା । ପ୍ରସ୍ତାବ ଦେଇଥିବା ଯୁବକ ନିଜକୁ ପ୍ରଭାସ ରାଜ ଏବଂ ସେ ଏମ୍‌କେସିଜିରେ ଡାକ୍ତର ଥିବା ଦର୍ଶାଇଥିଲେ । ଯୁବକ ଉଚ୍ଚ ଶିକ୍ଷିତ ଦେଖିବା ପରେ ରଶ୍ମିତା ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ । ପରେ ପ୍ରଭାସ ତାଙ୍କ ହ୍ୱାଟସ୍‌ଆପ୍‌ରେ ଚାଟିଂ କରିଥିଲେ ।

ତା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ । ଏହି ପ୍ରେମକୁ ବିବାହରେ ପରିଣତ କରିବା ପାଇଁ ସ୍ଥିର ହେଲା । ଉଭୟ ଭୁବନେଶ୍ୱରର ଏକ ତାରକା ରେଷ୍ଟୁରାଣ୍ଟରେ ଦେଖା କରିବା ପାଇଁ ସ୍ଥିର କଲେ । ସୁସ୍ୱାଦୁ ଖାଇବା ମଧ୍ୟ ଅର୍ଡର ହେଲା । ଅଧା ଖାଇବା ବେଳେ ପ୍ରଭାସ ହଠାତ୍‌ ରଶ୍ମିତାଙ୍କ ଉପରକୁ ଚଟଣୀ ପକାଇ ଦେଇଥିଲେ । ପରେ ତାଙ୍କୁ ୱାସ୍‌ରୁମ ଯାଇ ଧୋଇବା ପାଇଁ କହିଥିଲେ । ରଶ୍ମିତା ୱାସ୍‌ରୁମ ଯିବା ପରେ ତାଙ୍କ ପର୍ସ ସହ ମୋବାଇଲ ଧରି ଛୁ ମାରିଥିଲେ ପ୍ରଭାସ । ରଶ୍ମିତା ୱାସ୍‌ରୁମରୁ ଫେରି ଦେଖିବା ବେଳକୁ ପ୍ରଭାସ ଗାଏବ । ଏନେଇ ସଙ୍ଗେ ସଙ୍ଗେ ସେ ସହିଦନଗର ଥାନାରେ ଏତଲା ଦେଇଥିଲେ । ପୁଲିସ ତାଙ୍କ ଏତଲାକୁ ଭିତ୍ତି କରି ରବିବାର ବାଲେଶ୍ୱରରୁ ଅଭିଯୁକ୍ତ ପ୍ରଭାସକୁ ଗିରଫ କରିଛି । ପୁଲିସ ତା ବିରୋଧରେ ଆଇପିସିର ଦଫା ୪୨୦ ଲଗାଇ ପଚରାଉଚରା କରୁଛି ।

ଏମିତି ଅନେକ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣେ ଧୂର୍ତ୍ତକୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲା, କଟକ ବଡ଼ମ୍ବା ଅଞ୍ଚଳର ପ୍ରଭାସ ଦାସ । ପୁଲିସ ତା’ଠାରୁ ୪ଟି ଦାମୀ ମୋବାଇଲ୍‌ ଜବତ କରିଛି। ସେ ଏମିତି କରି କେତେ ଯୁବତୀଙ୍କୁ ଓ କେତେ ଟଙ୍କା ଚୋରି କରିଛି, ପୁଲିସ ତାକୁ ପଚରାଉଚରା କରୁଛି ।