ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ ଅନୁଷ୍ଠିତ ହୋଇଛି। ବାୟୁସେନାର ୨ଟି ବିମାନ ଗତକାଲି କୂଆଖାଇ ନଦୀପଠାରେ ପରିଦର୍ଶନ କରିଥିଲା ବେଳେ ଆଜି ପୂର୍ଣ୍ଣ ଅଭ୍ୟାସ କରିଛି। ଶୁକ୍ରବାର (ସେପ୍ଟେମ୍ବର ୧୬)ରେ ସୋ’ ପ୍ରଦର୍ଶିତ ହେବ।

ସୂଚନାଯୋଗ୍ୟ, ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ ପୁରୀରେ ବାୟୁସେନା ପକ୍ଷରୁ ଏୟାର ସୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଏୟାର ସୋ’ର ନାମ ‘ସୂର୍ଯ୍ୟକିରଣ’ ରଖାଯାଇଛି । ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରସ୍ଥିତ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଏହି ସୋ’ ହେବାକୁ ଥିବା ବେଳେ ପୁରୀରେ ୧୮ ତାରିଖରେ ଏହି ଏୟାର ସୋ’ ହେବ।

ଏୟାର ସୋ’ ପାଇଁ କୂଆଖାଇ ନଦୀପଠାରେ ପୂର୍ବ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବାୟୁସେନାର ସ୍ୱତନ୍ତ୍ର ଅଫିସରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି।

ଅନ୍ୟପଟେ ପୁରୀରେ ପ୍ରଥମ ଥର ପାଇଁ ଏଭଳି ଏୟାର ସୋ’ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ ବିପୁଳ ଉତ୍ସାହ ଦେଖାଦେଇଛି । ବୁଧବାର ଅପରାହ୍ନରେ ବାୟୁସେନା ପକ୍ଷରୁ ଏରିଏଲ ରେକି ବା ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା । ପୂର୍ବରୁ ଗ୍ରାଉଣ୍ଡ ରେକି କରାଯାଇଥିବା ବେଳେ ଏହି ଏରିଏଲ ରେକିକୁ ୱିଙ୍ଗ କମାଣ୍ଡର ଅଶ୍ବିନୀ ଓ ସହଯୋଗୀ ସକ୍ଷମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା । ବାୟୁସେନାର ଲୋକ ସମ୍ପର୍କ ଅଧିକାରୀ ଋଦ୍ଧିମା ଗୁରୁମ୍ ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଉପସ୍ଥିତ ରହି ବାୟୁସେନା ଅଧିକାରୀମାନଙ୍କୁ ସହଯୋଗ କରିଥିଲେ ।