ବାରାଣସୀ: ବହୁ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦ ମାମଲା ଶୁଣାଣିକୁ ଘୁଞ୍ଚାଇଦିଆଯାଇଛି । କୋର୍ଟ ମେ ୨୬ତାରିଖକୁ ଶୁଣାଣିକୁ ଘୁଞ୍ଚାଇଛନ୍ତି । କୋର୍ଟ ଶୁଣାଣି ସମୟରେ ନିର୍ଦ୍ଦେଶ ୭ର ରୁଲ ୧୧ ଉପରେ ପ୍ରଥମେ ଶୁଣାଣି କରିବେ । ମଙ୍ଗଳବାର ବାରାଣସୀ ଜିଲ୍ଲା କୋର୍ଟରେ ମାମଲାର ଶୁଣାଣି ହୋଇଥିଲା । ବିଚାରପତି ଉଭୟ ପକ୍ଷର ଯୁକ୍ତି ଶୁଣିବା ସହିତ ଆସନ୍ତା ମେ ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

ମୁସଲିମ ପକ୍ଷରୁ ଦଲିଲ ଦିଆଯାଇଥିଲା ଯେ ୧୯୯୧ ପ୍ଲେସେସ ଅଫ୍ ୱରସିପ୍ ଆକ୍ଟ ଯୋଗୁ ହିନ୍ଦୁ ପକ୍ଷର ଦଲିଲ ଖାରଜ କରିଦିଆଯାଇଥିଲା । ଏଥିର କୋର୍ଟ ପ୍ରଥମେ ଏହି ମାମଲା ଉପରେ ଶୁଣାଣି କରିବେ । କୋର୍ଟ କମିଶନଙ୍କ ରିପୋର୍ଟକୁ ସମସ୍ତଙ୍କୁ ଉପଲବ୍ଧ କରାଇବା ସହ ୭ ଦିନ ଭିତରେ ଆପତ୍ତି ଦାଖଲ କରିବାକୁ କୁହାଯାଇଛି । ହିନ୍ଦୁ ପକ୍ଷରୁ ଓକିଲ ବିଷ୍ଣୁ ଜୈନ କହିଛନ୍ତି ସିପିସିର ନିର୍ଦ୍ଦେଶ ୭ ରୁଲ ୧୧ ଅନୁସାରେ ମାମଲାକୁ ଖାରଜ କରିବା ପାଇଁ ମୁସଲିମ ପକ୍ଷ ଆବେଦନ କରିଥିଲେ । ପରେ ମାମଲାର ଶୁଣାଣି ମେ ୨୬କୁ ଘୁଞ୍ଚାଇଦିଆଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ଯେ ଜିଲ୍ଲା ଜଜ ପ୍ରଥମେ ନିର୍ଦ୍ଦେଶ ୭ ରୁଲ ୧୧ ଉପରେ ଶୁଣାଣି କରିବେ ।

ମଙ୍ଗଳବାର ଶୁଣାଣି ପରେ ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଜୈନ କହିଛନ୍ତି, ଜ୍ଞାନବାପୀ ମସଜିଦ ସର୍ଭେ ପରେ ରିପୋର୍ଟରେ ଦ୍ବନ୍ଦ ଥିବା ନେଇ କୋର୍ଟ କହିଛନ୍ତି । ଏହା ସହିତ ଉଭୟ ପକ୍ଷରୁ ସର୍ଭେ କରୁଥିବା ଆୟୋଗଙ୍କ ରିପୋର୍ଟକୁ ନେଇ ଆପତ୍ତି ଉଠାଇଛନ୍ତି କୋର୍ଟ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମୁସଲିମ ପକ୍ଷର ଯାଚିକାର ଶୁଣାଣି ପାଇଁ ମେ ୨୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।