ଭୁବନେଶ୍ୱର ୧।୧୨ : ଆସନ୍ତା ୪ ତାରିଖରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ଜୱାଦ’ । ଦକ୍ଷିଣ ଥାଇଲାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନିଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ଏହା ଅବପାତରେ ପରିଣତ ହେବ । ଦକ୍ଷିଣ ଥାଇଲାଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୂମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଛି। ଆସନ୍ତା ୧୨ଘଣ୍ଟା ମଧ୍ୟରେ ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହିତ ଡିସେମ୍ବର ୨ ବେଳକୁ ଘନୀଭୂତ ହୋଇ ଅବପାତର ରୂପ ନେବ।

ଫଳରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ମଧ୍ୟ ଭାଗରେ ଏକ ବାତ୍ୟା (ଜଓ୍ବାଦ)ର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବା ସହିତ ୩ ତାରିଖରୁ ଉପକଊଲ ଓଡିଶାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହେବ । ଶନିବାର ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟ ଛୁଇଁବାର ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ପାଣିପାଗ ବଇବାଗ ପକ୍ଷରୁ ଜାରି କରାଯାଇଛି ।

ସେହିପରି ୪ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାତ୍ୟା ନେଇ ଏସଆରସି ସତର୍କତା ଜାରି କରିଛନ୍ତି । ପ୍ରବଳ ବର୍ଷା ଆଶଙ୍କା ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ସେଥିପାଇଁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ପ୍ରଭାବରେ ୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନ ଘଣ୍ଟା ପ୍ରତି ୫୦ରୁ ୭୦କିମି ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି। ୩ ତାରିଖ ଭୋର ପରଠାରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣି ପବନ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୫ରୁ ୭୫ କି.ମି. ତଥା ଝଟକା ପବନ ୮୫କିମି ବେଗରେ ବହିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ବୃଦ୍ଧି ପାଇଁ ୪ ତାରିଖ ସକାଳୁ ପରବର୍ତ୍ତୀ ୨୪ଘଣ୍ଟା ଯାଏ ଉତ୍ତର-ପଶ୍ଚିମ ତତ୍‌ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୯୦ରୁ ୧୦୦କିମି ତଥା ଝଟକା ପବନ ୧୧୦ ପର୍ଯ୍ୟନ୍ତ ବହିପାରେ। ତେବେ ଉତ୍ତର ଆନ୍ଧ୍ରପ୍ରଦେଶ ତଥା ଓଡ଼ିଶା ଉପକୂଳରେ ୩ ତାରିଖ ମଧ୍ୟରାତ୍ରୀରୁ ପବନର ଘଣ୍ଟା ପ୍ରତି ବେଗ ୪୫ରୁ ୫୫କିମି ସର୍ବାଧିକ ୬୫କିମି ହୋଇପାରେ। ପବନ ଧୀରେ ଧୀରେ ବୃଦ୍ଧି ପାଇ ୪ ତାରିଖ ଅପରାହ୍ନଠାରୁ ପରବର୍ତ୍ତୀ ୧୨ଘଣ୍ଟା ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୭୦ରୁ ୮୦କିମି ଏବଂ ସର୍ବାଧିକ ୯୦କିମି ବହିପାରେ ବୋଲି ପାଣିିପାଗ ବିଭାଗ କହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ୩ରୁ ୫ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ସମସ୍ତ ଜିଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି। ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ସେ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅରେଞ୍ଜ, ୟେଲୋ ୱାର୍ନିଂ ଥିବା ଜିଲା ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ଜଳବନ୍ଦୀ, ବନ୍ୟା ଭଳି ସ୍ଥିତି ଓ ଭୂସ୍ଖଳନ ହେବା ନେଇ ସତର୍କ ସୂଚନା ଜାରି କରିଛନ୍ତି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଚାଲୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପରିପକ୍ୱ ଧାନ ଫସଲର ସମ୍ପୂର୍ଣ୍ଣ ଅମଳ କରି ନିଆଯିବା ସହିତ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ୩ ତାରିଖ ରାତିରୁ ସମୁଦ୍ର ଭୀଷଣ ଅଶାନ୍ତ ହେବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଫେରି ଆସିବାକୁ କୁହାଯାଇଛି। ମତ୍ସ୍ୟଜୀବୀଙ୍କୁ ଦିଆଯାଇଥିବା ପରାମର୍ଶ କଡ଼ାକଡ଼ି ପାଳନ ପାଇଁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।