ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ବିଶ୍ୱକପ ହକିର ଆଜି ଉଦଘାଟନୀ ମ୍ୟାଚରେ ରେଡ଼ ଲାୟନ ତଥା ବେଲଜିୟମ ଦଳ ବିଜୟୀ ହୋଇଛି । ଲକ୍ଷ୍ନୌରେ ଖେଳାଯାଇଥିବା ୨୦୧୬ ସଂସ୍କରଣରେ ରନର୍ସପ ଥିବା ବେଲଜିୟମ ଦଳ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରି ବିଶ୍ୱକପ ରେ ବିଜୟ ଅଭିଯାନ ଆରମ୍ଭ କରିଛି । ବେଲଜିୟମ୍ ପକ୍ଷରୁ ଡି ରୋମାନ ସର୍ବାଧିକ ୨ଟି ଗୋଲ୍ ଦେଇଥିଲେ । ସାଉଥ୍ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ୍ ଗୋଟିଏ ପେନାଲ୍ଟି କର୍ଣ୍ଣର ଗୋଲ ଦେଇଥିଲେ ।

ଆଜିର ମ୍ଯାଚରେ ବେଲଜିୟମ ପୁରା ପ୍ରଭାବ ବିସ୍ତାର କରି ଖେଳିଥିଲା । ଖେଳର ଷଷ୍ଠ ମିନିଟରେ ବେଲଜିୟମ ପ୍ରଥମ ଗୋଲ ଦେଇଥିଲା । ୧୫ ମିନିଟରେ ଦକ୍ଷିଣଆଫ୍ରିକା ଗୋଲ ଦେଇ ଖେଳକୁ ସମାନସ୍ତରକୁ ଆଣିଥିଲା । ଏହାପରେ ବେଲଜିୟମ୍ ନୂଆ ରଣନୀତି ନେଇ ପଡିଆକୁ ଓହ୍ଲାଇଥିଲା । ବେଲଜିୟମ୍ ଆଉ ୪ଟି ଗୋଲ ଦେଇ ମ୍ଯାଚରେ ବିଜୟୀ ହୋଇଥିଲା । ଦୁଇଟି ଗୋଲ ଦେଇଥିବା ବେଲଜିୟମର ଡି ଲୋରା ଟ୍ରିଭରଙ୍କୁ ମ୍ଯାନ ଅଫ ଦି ମ୍ଯାଚ ପୁରସ୍କାର ଦିଆଯାଇଥିଲା। ଅନ୍ଯପକ୍ଷରେ ଗ୍ରୁପ ବିରେ ସ୍ଥାନ ପାଇଥିବା ଟିମ୍ ଇଣ୍ଡିଆ ଆଜି ଫ୍ରାନ୍ସକୁ ଭେଟିବ । ରାତି ୮ଟାରେ ଭାରତ-ଫ୍ରାନ୍ସ ଲଢ଼େଇ ହେବ । ଭୁବନେଶ୍ୱରେ ଆୟୋଜିତ ହେଉଥିବା ଜୁନିୟର ହକି ବିଶ୍ୱକପରେ ୧୬ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି ।

ତେବେ ମଧ୍ୟାହ୍ନ ୧୨ଟାରେ ଜର୍ମାନୀ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇସାରିଛି । ଅପରାହ୍ଣ ୨ଟା ୩୦ରେ ମୁହାଁମୁହିଁ ହେବେ କାନାଡା ଏବଂ ପୋଲାଣ୍ଡ ଏବଂ ସଂଧ୍ୟା ୫ଟାରେ ମାଲେସିଆ ଏବଂ ଚିଲି ମଧ୍ୟରେ କଡା ଟକ୍କର ହେବ । ବିନା ଦର୍ଶକରେ ମ୍ୟାଚ୍ ହେଉଥିବା ବେଳେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଷ୍ଟାଡିୟମ୍ ହୋଟେଲ ସବୁକିଛି ସୁରକ୍ଷା ବଳୟରେ ରହିଛି ।

ଜୁନିଅର ହକି ବିଶ୍ୱକପରେ ପୂର୍ବରୁ ଦୁଇ ଥର ଚାମ୍ପିଅନ୍‌ ହୋଇଥିବା ଭାରତ ଏଥର ଜୋରଦାର ଟକ୍କର ଦେବ ବୋଲି ହକିପ୍ରେମୀ ଆଶା ରଖିଛନ୍ତି । ମ୍ୟାଚ୍ ଲାଗି ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ମଧ୍ୟ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ୍ ଅଂଶଗ୍ରହଣ କରୁଥିବା ବେଳେ ପୁଲ୍ Bରେ ସ୍ଥାନ ପାଇଛି ଟିମ୍ ଇଣ୍ଡିଆ । ପୁଲ୍ A ପୁଲରେ ବେଲଜିୟମ୍, ଚିଲି, ମାଲେସିଆ ଏବଂ ଦକ୍ଷିଣ ଆଫ୍ରିକା ଦଳ ରହିଛନ୍ତି । ସେହିପରି ପୁଲ୍ B ପୁଲରେ ରହିଛନ୍ତି କାନାଡା, ଫ୍ରାନ୍ସ, ଭାରତ ଏବଂ ପୋଲାଣ୍ଡ। ପୁଲ୍ Cରେ ରେ ସାଉଥ କୋରିଆ, ନେଦର ଲ୍ୟାଣ୍ଡସ, ସ୍ପେନ୍ ଓ ଆମେରିକା ରହିଥିବା ବେଳେ ପୁଲ୍ Dରେ ରହିଛନ୍ତି ଆର୍ଜେଣ୍ଟିନା, ଇଜିପ୍ଟ, ଜର୍ମାନୀ ଏବଂ ପାକିସ୍ତାନ ।

Leave a Reply

Your email address will not be published. Required fields are marked *