ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି। ଆଇଏସଆଇଏସ କାଶ୍ମୀର ନାଁରେ ଜୀବନରେ ମାରି ଦେବାକୁ ଧମକ ଆସିଛି ବୋଲି ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଗୌତମ ଗମ୍ଭୀର । ଏହାପରେ ଖୋଳତାଡ ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ମଧ୍ୟ ଦିଲ୍ଲୀ ଡିସିପି କହିଛନ୍ତି , ଗୌତମ ଗମ୍ଭୀରଙ୍କ ଅଭିଯୋଗରେ ପରେ ତାଙ୍କ ବାସଭବନରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସ ନିକଟରେ ଗୌତମ ଗମ୍ଭୀର କରିଥିବା ଅଭିଯୋଗ ଅନୁସାରେ, ଆଇଏସଆଇଏସ କାଶ୍ମୀର ପକ୍ଷରୁ ତାଙ୍କୁ ଧମକ ମିଳିଛି । ଇ-ମେଲ୍ ଯୋଗେ ମିଳିଛି ହତ୍ୟା ଧମକ । ଆତଙ୍କୀ ସଂଗଠନ ତାଙ୍କୁ ଓ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଛି । ଏନେଇ ଗମ୍ଭୀରଙ୍କ ପିଏସ୍ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

ଏହି ଘଟଣା ପରେ ଗମ୍ଭୀରଙ୍କ ଘର ଆଗରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଇ-ମେଲ୍ ତଥ୍ୟ ଆଧାରରେ ଖୋଳତାଡ ଚଳାଇଛି ଦିଲ୍ଲୀ ପୋଲିସ । କିଏ ଓ କାହିଁକି ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ପଠାଇଲା ତଦନ୍ତ ଜାରି ରହିଛି । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଅଛନ୍ତି ।

ଦିଲ୍ଲୀ ଡିସିପି ଶ୍ୱେତା ଚୌହାନଙ୍କ କହିବା କଥା , ମଙ୍ଗଳବାର ତାଙ୍କୁ ହତ୍ୟା ଧମକ ମିଳିବା ନେଇ ଗମ୍ଭୀର ଅଭିଯୋଗ କରିବା ପରେ ତାଙ୍କ ସୁରକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରିଥିବା କହିଛନ୍ତି । ଉଭୟ ଫୋନ କଲରେ ଏବଂ ଇମେଲରେ ତାଙ୍କୁ ଆଇଏସଆଇଏସ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଗମ୍ଭୀର । କହିରଖୁଁ କି, ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀରୁ ଲୋକସଭାରେ ସାଂସଦ ଅଛନ୍ତି । ତେବେ ନିକଟରେ ପଂଜାବ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜ୍ୟୋତ୍ ସିଂ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜ ବଡ ଭାଇ ବୋଲି କହିବା ପରେ ଏନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ଗମ୍ଭୀର । ପ୍ରଥମେ ସୀମାକୁ ନିଜ ସନ୍ତାନଙ୍କୁ ପଠାଅ । ତା’ପରେ ଯାଇ ଆତଙ୍କୀଙ୍କ ଆଡ୍ଡା ଥିବା ଦେଶର ମୁଖିଆଙ୍କୁ ନିଜ ଭାଇ ବୋଲି କହିବ ବୋଲି କହିଥିଲେ ଗମ୍ଭୀର । ସିଦ୍ଧୁଙ୍କ ଇମ୍ରାନ ପ୍ରୀତିକୁ ନେଇ ଦେଇଥିବା ଗମ୍ଭୀରଙ୍କ ଏହି ବୟାନ ଯୋଗୁଁ ତାଙ୍କୁ ଆଇଏସଆଇଏସ୍ ହତ୍ୟା ଧମକ ଦେଇଥିବା ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *