ପାଟନା: ଗତକାଲି ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡି(ୟୁ) ନେତା ନୀତୀଶ କୁମାର । ସେ ବିଜେପି ମେଣ୍ଟରୁ ବାହାରି ଆସି ମହାଗଠବନ୍ଧନରେ ସାମିଲ ହୋଇଛନ୍ତି । ଆଜି ବିହାରରେ ଆରଜେଡି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ। ଏହା ସହିତ ଆରଜେଡି ନେତା ଏବଂ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ସେପଟେ ୪ ଜଣ ବିଧାୟକଙ୍କ ସମର୍ଥନ ଦେଇଥିବା ହିନ୍ଦୁସ୍ଥାନର ଆୱାମ ମୋର୍ଚ୍ଚାର ନେତା ଜୀତିନରାମ ମାଞ୍ଝୀ ସମର୍ଥନ ବଦଳରେ ୨ ଟି ମନ୍ତ୍ରୀପଦ ମାଗୁଥିବାରୁ ଅଡୁଆ ଶ୍ରୁଷ୍ଠି ହୋଇଛି । କାରଣ କଂଗ୍ରେସ ପାଖରେ ୧୯ ଜଣ ବିଧାୟକ ଥିବା ବେଳେ ସେ କେବଳ ୩ ଟି ମନ୍ତ୍ରୀପଦ ମାଗିଛନ୍ତି । ଏହାସହ ୧୬ ଜଣ ବିଧାୟକ ସହ ସରକାରକୁ ସମର୍ଥନ ଦେଉଥିବା ବାମଦଳକୁ କେତୋଟି ମନ୍ତ୍ରୀପଦ ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ ।

ଅନ୍ୟପଟେ ଆଜି ଅୟୋଜିତ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଯୋଗ ଦେଇ ନାହାଁନ୍ତି । ସେ ତାଙ୍କର ସ୍ୱାସ୍ଥ୍ୟଗତ କାରଣରୁ ଦିଲ୍ଲୀରେ ଥିବାରୁ ଏହି ସମାରୋହରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି । କହିରଖୁ କି ଶପଥ ଗ୍ରହଣ ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ ଓ ତାଙ୍କ ବଡ ଭାଇ ତେଜପ୍ରତାପ ଯାଦବଙ୍କୁ ଭେଟିଛନ୍ତି ନୀତିଶ କୁମାର ।

୨୨ବର୍ଷ ମଧ୍ୟରେ ଆଜି ଅଷ୍ଟମ ଥର ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୨୦୦୦ ମସିହାରେରେ ସେ ସର୍ବପ୍ରଥମେ ୭ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ | ଏହାପରେ ୨୦୦୫ ନଭେମ୍ବର ୨ରେ ଦ୍ବିତୀୟ ଥର, ୨୦୧୦ ନଭେମ୍ବର ୩ରେ ତୃତୀୟ ଥର, ୨୦୧୫ ଫେବ୍ରୁଆରି ୪ରେ ଚତୁର୍ଥ ଥର, ୨୦୧୫ ନଭେମ୍ବର ୫ରେ ପଞ୍ଚମ ଥର, ୨୦୧୭ ଜୁଲାଇ ୬ରେ ଷଷ୍ଠ ଥର ଏବଂ ୨୦୨୦ ନଭେମ୍ବର ୭ରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ।