ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ୧୭ ତାରିଖୁ ୨୧ ଯାଏଁ ଚାଲିବ । ମନୋନୟନ ପତ୍ର ଯାଂଚ ୨୨ ତାରିଖରେ ହେବ । ଜାନୁଆରୀ ୨୫ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୫ଟି ପର୍ଯ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ । ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ଆସନ୍ତା ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ ତାରିଖରେ ନିର୍ବାଚନ ହେବ । ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେଲା ପରେ ଗ୍ରାମାଞ୍ଚଳରେ ରାଜନୀତି ଚଳଚଞ୍ଚଳ। କିନ୍ତୁ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଉପରମୁହାଁ ଥିବାରୁ କଡ଼ା କଟକଣା ଭିତରେ ପ୍ରଚାର କରିବାକୁ ନିର୍ବାଚନ କମିସନ ଗତକାଲି ନିର୍ଦ୍ଦେଶ ଦେଇଥିଲେ । ତାହାକୁ ଭିତ୍ତି କରି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ବୁଧବାର ଦିନ ନିର୍ବାଚନ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଚଳିତ ମାସରେ ସର୍ବାଧିକ ୧୦୦ ଲୋକଙ୍କୁ ନେଇ ରାଜନୈତିକ ସଭା, ଶୋଭାଯାତ୍ରା ପାଇଁ ପୂର୍ବରୁ ଅନୁମତି ଥିଲା ବେଳେ ବୁଧବାର ତାହାକୁ ଉଠାଇ ଦିଆଯାଇଛି। ‌ନିର୍ବାଚନୀ ସଭା, ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ପ୍ରାର୍ଥୀମାନେ ସର୍ବାଧିକ ୫ ଜଣ ସମର୍ଥକଙ୍କୁ ନେଇ ଘରକୁ ଘରକୁ ବୁଲି ପ୍ରଚାର କରିବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତେ ମାସ୍କ ପିନ୍ଧି ପ୍ରଚାର କରିବା ବାଧ୍ୟତାମୂଳକ। ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *