କଟକ: ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ରାଜ୍ୟ ସରକାର ଦର୍ଶକଙ୍କୁ ଆସିବାକୁ ଅନୁମତି ଦେଇଛନ୍ତି। ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜୁନ୍‌ ୧ରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ହେବ। ଏହା ପରେ ଜୁନ୍ ୯ ଓ ୧୦ରୁ ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହେବ।

କରୋନା ଯୋଗୁ ଷ୍ଟାଡିୟମ ଗୁଡ଼ିକରେ ଦର୍ଶକଙ୍କ ପ୍ରବେଶ ଉପରେ ବିସିସିଆଇ ଯେଉଁ କଟକଣା ଲଗାଇଥିଲା, ତାହା ଗତକାଲି ହଟାଇ ଦେଇଛି। ତେଣୁ ଜୁନ୍ ୧୨ରେ ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ। ଆଜି କ୍ରୀଡ଼ା ସଚିବ ଆର୍‌ ଭିନୀଲ କ୍ରିଷ୍ଣା ମଧ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି।

ବାରବାଟୀ ଷ୍ଟାଡିୟମରେ ୪୪୨୩୪ ଦର୍ଶକ ବସିବା କ୍ଷମତା ରହିଥିଲା ବେଳେ ସେଥିରୁ ୨୯୧୫୪ ଟିକଟ୍‌ ବିକ୍ରି କରାଯିବ। ଏଥିରୁ ୮ ହଜାର ଟିକଟ୍‌ ଓସିଏ ଓ ବିସିସିଆଇ ଅନୁବନ୍ଧିତ ସ˚ସ୍ଥାଙ୍କ ପାଇଁ ବିକ୍ରି ହେବ ଏବ˚ ୨୧୧୫୪ ଟିକଟ୍‌ ଅନ୍‌ଲାଇନ୍‌ ଓ କାଉଣ୍ଟରରେ ବିକ୍ରି ହେବ। ପ୍ରଥମେ ୫ ହଜାର ଟିକଟ୍‌କୁ ଅନ୍‌ଲାଇନ୍‌ରେ ଛଡ଼ାଯିବ। ପେଟିଏମ୍‌ ଦ୍ବାରା ଅନ୍‌ଲାଇନ୍‌ରେ ଟିକଟ୍‌ ବିକ୍ରି ହେବ। ଜୁନ୍‌ ୯ରୁ ୧୨ ତାରିଖ ମଧ୍ୟରେ କେମ୍ବ୍ରିଜ ସ୍କୁଲ୍‌ ଓ ଖ୍ରୀଷ୍ଟ କଲିଜିଏଟ୍‌ ସ୍କୁଲ୍‌ ସହିତ ଭୁବନେଶ୍ବରରେ ଦୁଇଟି ସ୍ଥାନରେ କାଉଣ୍ଟର ଖୋଲାଯାଇ ଅନ୍‌ଲାଇନ୍‌ ଟିକଟ୍‌ ସ˚ଗ୍ରହ କରାଯାଇପାରିବ। ଏହାବାଦ୍‌ ଜୁନ୍‌ ୭ ଓ ୮ ତାରିଖରେ ଓସିଏ ଓ ବିସିସିଆଇ ଅନୁବନ୍ଧିତ ସ˚ସ୍ଥାମାନଙ୍କୁ ଓସିଏ କନଫରେନ୍ସ ହଲ୍‌ରେ ଟିକଟ୍‌ ବିକ୍ରି କରାଯିବ। ସାଧାରଣ ଦର୍ଶକଙ୍କ ପାଇଁ ଜୁନ୍‌ ୯ ଓ ୧୦ ତାରିଖରେ ଷ୍ଟାଡିୟମ କାଉଣ୍ଟରରେ ଟିକଟ୍‌ ବିକ୍ରି ହେବ। ଜଣେ ନିଜର ପରିଚୟ ପତ୍ର ଦେଖାଇ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକଟ୍‌ କିଣିପାରିବେ। ଟିକଟ୍‌ କାଉଣ୍ଟରର ସୁରକ୍ଷା ପାଇଁ ସିସି କ୍ୟାମେରା ଲଗାଯିବ।

ଚଳିତ ମ୍ୟାଚ୍‌ ପାଇଁ ଟିକଟ୍‌ ଦର ବୃଦ୍ଧି କରାଯାଇଛି। ଗ୍ୟାଲେରି ନମ୍ବର ୧, ୩ ଓ ୫ର ଦାମ୍‌ ୯୦୦ ଟଙ୍କା ରଖାଯାଇଥିଲା ବେଳେ ୨ ଓ ୪ ନମ୍ବର ଗ୍ୟାଲେରିର ମୂଲ୍ୟ ୭୦୦ ଟଙ୍କା ରଖାଯାଇଛି। ମରାମତି ହୋଇଥିବା ୭ ନମ୍ବର ଗ୍ୟାଲେରିର ମୂଲ୍ୟ ୬୦୦ ଟଙ୍କା, ୬ ନମ୍ବର ଗ୍ୟାଲେରିକୁ ଖେଳାଳି ରିହାତି ଭାବରେ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାବାଦ୍‌ ସ୍ପେସାଲ ଏନ୍‌କ୍ଲୋଜର ୫୦୦୦ ଟଙ୍କା, ଏସି ବକ୍ସ ୭୦୦୦ ଟଙ୍କା, ନ୍ୟୁ ପାଭିଲିୟନ ୮୦୦୦ ଟଙ୍କା, କର୍ପୋରେଟ ବକ୍ସ ୧୨୦୦୦ ଟଙ୍କା ରଖାଯାଇଛି।

ଦଳ ୧୦ ତାରିଖରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ମେ ଫେୟାର ହୋଟେଲରେ ଖେଳାଳିମାନଙ୍କ ରହିବା ବ୍ୟବସ୍ଥା ହୋଇଥିଲା ବେଳେ ୧୧ ତାରିଖରେ ଅଭ୍ୟାସ ଓ ୧୨ ତାରିଖରେ ମ୍ୟାଚ୍‌ ଖେଳାଯିବ। ୧୩ ତାରିଖରେ ଉଭୟ ଦଳ ଭୁବନେଶ୍ବରରୁ ବିଦାୟ ନେବେ।