ଭୁବନେଶ୍ଵର, ୧୩/୦୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତି। ପଞ୍ଚାୟତ ଅଫିସରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରାକାଶ ପାଇଛି।

ସୂଚନାନୁଯାୟୀ, ଆସନ୍ତା ଫେବୃଆରୀ ୧୬ ତାରିଖରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍। ପାଞ୍ଚଟି ପର୍ଯ୍ୟାୟରେ ହେବ ମତଦାନ। ଫେବୃଆରୀ ୧୬, ୧୮, ୨୦, ୨୨, ଓ ୨୨ ତାରିଖରେ ମତଦାନ ହେବ। ଏଥିପାଇଁ ଜାନୁଆରୀ ୧୭ ରୁ ୨୧ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରାର୍ଥୀ। ୨୨ ତାରିଖରେ ହେବ ପ୍ରାର୍ଥୀପତ୍ର ଯାଞ୍ଚ୍। ଏହାପରେ ୨୨ରୁ ୨୫ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ଏହାପରେ ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଫେବୃଆରୀ ୨୬,୨୭, ୨୮ରେ ହେବ ଭୋଟ୍ ଗଣତି।

ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ବୁଧବାର ଦିନ ନିର୍ବାଚନ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଚଳିତ ମାସରେ ସର୍ବାଧିକ ୧୦୦ ଲୋକଙ୍କୁ ନେଇ ରାଜନୈତିକ ସଭା, ଶୋଭାଯାତ୍ରା ପାଇଁ ପୂର୍ବରୁ ଅନୁମତି ଥିଲା ବେଳେ ବୁଧବାର ତାହାକୁ ଉଠାଇ ଦିଆଯାଇଛି। ‌ନିର୍ବାଚନୀ ସଭା, ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ପ୍ରାର୍ଥୀମାନେ ସର୍ବାଧିକ ୫ ଜଣ ସମର୍ଥକଙ୍କୁ(ପ୍ରାର୍ଥୀଙ୍କୁ ମିଶାଇ ୫) ନେଇ ଘରକୁ ଘରକୁ ବୁଲି ପ୍ରଚାର କରିବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତେ ମାସ୍କ ପିନ୍ଧି ପ୍ରଚାର କରିବା ବାଧ୍ୟତାମୂଳକ। ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।