ଭୁବନେଶ୍ୱର: ଭୁବନେଶ୍ୱର ଡ଼େଲଟା ଛକରେ ଥିବା ସୁନା ଦୋକାନରୁ ବଡ଼ ଧରଣର ଲୁଟ୍ । ସୁନା ଗହଣା ଦୋନାରୁ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷ୍ମୀ ନାରାୟଣ ନାମକ ଗହଣା ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । କୋଟିଏରୁ ଅଧିକ ଟଙ୍କାର ସୁନା ଓ ରୁପା ଗହଣା ଲୁଟ୍ ହୋଇଛି । ଚୋରୀ ସାମଗ୍ରୀ ମଧ୍ୟରେ ରହିଛି ୧ କେଜି ସୁନା, ୧୦କେଜି ରୁପା ଓ ଦେଢ଼ ଲକ୍ଷ ଟଙ୍କା । ଏନେଇ ଅଳଙ୍କାର ଦୋକାନର ମାଲିକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ରାତିରେ ଏତେ ବଡ଼ ଧରଣର ଚୋରିକୁ ନେଇ ସ୍ଥାନୀୟ ବ୍ବ୍ୟବସାୟୀମାନେ ଆତଙ୍କିତ ହୋଇପଡ଼ିଛନ୍ତି।

ଦୋକାନ ମାଲିକଙ୍କ ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦ଟାରେ ଦୋକାନ ବନ୍ଦ କରି ତାଙ୍କ ପୁଅ ଘରକୁ ଯାଇଥିଲେ । ରବିବାର ସକାଳେ ପହଞ୍ଚି ଦୋକାନର ମୁଖ୍ୟ ଗେଟ୍ ଓ ଶଟର ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ହେଲେ ଦୋକାନର ଲକର ଭିତରେ ଥିବା ଜିନିଷ ସୁରକ୍ଷିତ ଥିବା ଜଣାଯାଇଛି । ରାତିରେ ବର୍ଷା ଲାଗିରହିଥିବାବେଳେ ଏହାର ସୁଯୋଗ ନେଇ ଲୁଟେରା ଚୋରି କରିଥିବା ଅନୁମାନ କରାଯାଉଛି ।

ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ରାତିରେ ଦୋକାନର ଶଟର ଓ ଗ୍ରୀଲକୁ ଗ୍ୟାସ କଟରରେ କାଟି ଲୁଟେରାମାନେ ଲୁଟ୍ କରିଥିବା ଜଣାପଡ଼ିଛି । ଲୁଟେରାମାନେ ସିସିଟିଭି ତାରକୁ କାଟିଦେଇଥିବାବେଳେ ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରୁଇି । ଘଟଣାରେ କାହାକୁ ଏଯାଏଁ ଗିରଫ କରାଯାଇନାହିଁ । ରାଜଧାନୀର ପ୍ରମୁଖ ଛକରେ ଥିବା ଦୋକାନରୁ ଏତେ ବଡ଼ ଧରଣରୁ ଲୁଟ୍ ପରେ ବ୍ୟବସାୟୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଆଖପାଖର ସିସିଟିଭି ସହାୟତାରେ ଯାଂଚକୁ ଜୋରଦାର କରାଯାଇଛି । କମିଶନରେଟ ପୁଲିସ ଏକ ଟିମ ଗଠନ କରିଛି ।