ଭୁବନେଶ୍ୱର: ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଦ୍ୱାଦଶ ରେଜଲ୍ଟ। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଏପ୍ରିଲ୍‌ ୨୮ ତାରିଖରୁ ଆରମ୍ଭ ହୋଇ ମେ ୨୮ରେ ଶେଷ ହୋଇଥିଲା। ମୋଟ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବିଜ୍ଞାନରେ ୭୮ ହଜାର ୭୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ସେହିପରି ବାଣିଜ୍ୟରେ ୨୪ ହଜାର ୧୩୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥିପାଇଁ ମୋଟ ୧ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରିଚାଳନା ହବ୍ କରାଯାଇଥିଲା।

ପ୍ରଥମ ଦିନରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ଏମଆଇଏଲ୍ (ଓଡ଼ିଆ) ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟା ଶେଷ ହୋଇଥିଲା। ପରୀକ୍ଷା ପାଇଁ କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର ଥିବା ବେଳେ, ମୋବାଇଲ ବାରଣ କରାଯାଇଥିଲା। କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଶେଷ ପର୍ଯ୍ୟାୟ ପହଞ୍ଚିଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରେଜଲ୍ଟ ପ୍ରକାଶ ତାରିଖ ଘୋଷଣା ହେବ ।