ନୂଆଦିଲ୍ଲୀ ୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଲୋକମାନଙ୍କୁ ଏକ ସ୍ୱତନ୍ତ୍ର ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ପ୍ରଦାନ କରାଯିବ, ଯେଉଁଥିରେ ବ୍ୟକ୍ତିର ସମସ୍ତ ସ୍ୱାସ୍ଥ୍ୟ ରେକର୍ଡ ରହିବ । ଏହାଦ୍ୱାରା ଏଣିକି ଦେଶର ସମସ୍ତଙ୍କ ପାଖରେ ହେଲଥ୍‌ ଆଇଡି ରହିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି “ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗତ ସାତ ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ସୁବିଧା ସୁଦୃଢ କରିବା ପାଇଁ ଆଜି ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହା ଏକ ସାଧାରଣ ପର୍ଯ୍ୟାୟ ନୁହେଁ | ଏହା ଏକ ଅସାଧାରଣ ପର୍ଯ୍ୟାୟ ବୋଲି ଦେଶରେ ଡିଜିଟାଲ ପଦକ୍ଷେପକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସମ୍ପ୍ରତି ଏହି ପ୍ରକଳ୍ପଟି ୟୁନିଅନ୍ ଟେରିଟୋରୀରେ ପାଇଲଟ୍ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପର ଦେଶବ୍ୟାପୀ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ର ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏ) ର ତୃତୀୟ ବାର୍ଷିକୀ ପାଳନ ସହିତ ମେଳ ଖାଉଛି ବୋଲି ବିବୃତ୍ତିରେ କୁହାଯାଇଛି।

ଡିଜିଟାଲ୍ ସ୍ବାସ୍ଥ୍ୟ ମିଶନ୍ ବା ଜାତୀୟ ଡିଜିଟାଲ୍ ସ୍ବାସ୍ଥ୍ୟ ମିଶନ୍ ଭାବରେ ଜଣାଶୁଣା ଏହି ପ୍ରକଳ୍ପକୁ ଗତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଳାରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ଘୋଷଣା କରିଥିଲେ ଏବଂ ପ୍ରଥମେ ଏହା ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯିବ। ପରେ ଦେଶବ୍ୟାପୀ ଏହାକୁ ବିସ୍ତାର କରାଯିବ। ଏହି ଯୋଜନା ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ କ୍ରାନ୍ତିକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଯୋଜନାଦ୍ୱାରା ଦେଶର ଗରିବ ଏବଂ ମଧ୍ୟମବର୍ଗ ବେଶ୍‌ ଉପକୃତ ହୋଇ ପାରୁଥିବାବେଳେ ଏବେ ଏହା ଡିଜିଟାଲ ମାଧ୍ୟମରେ ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆୟୁଷ୍ମାନ ଯୋଜନା ସହାୟତାରେ ପ୍ରତି ନାଗରିକଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ରହିଛି। ଉନ୍ମୋଚନ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରକୁ ଯାଇ ସେପ୍ଟେମ୍ବର 27 କୁ ଭାରତର ସ୍ୱାସ୍ଥ୍ୟସେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ବର୍ଣ୍ଣନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରୁଛି ଏବଂ ଏହି କ୍ଷେତ୍ରରେ ନୂତନ ଉଦ୍ଭାବନ ପାଇଁ ଦ୍ୱାର ଖୋଲିଛି।

Leave a Reply

Your email address will not be published. Required fields are marked *