ଭୁବନେଶ୍ବର: ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଏକ ବିରଳ କଳା ବାଘ ଦେଖିବାକୁ ମିଳିଛି । ଗୋଟାଏ ବିରଳ କଳା ମହାବଳ ବାଘ ତା’ର ଇଲାକାରେ ଚିହ୍ନ ଦେଉଥିବାର ବିରଳ ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ରେ ପ୍ରସାରିତ ହେଉଛି। ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ‘ଇଣ୍ଡିଆନ୍‌ ଫରେଷ୍ଟ୍‌ ସର୍ଭିସ୍‌’ ଅଫିସର୍‌ ସୁଶାନ୍ତ ନନ୍ଦ ସେୟାର୍‌ କରିଥିବା ଉକ୍ତ ୧୫ ସେକେଣ୍ଡ୍‌ର ଭିଡିଓ ଦେଖାଯାଉଛି | ଯେଉଁଥିରେ କି କଳାବାଘଟି ଗୋଟାଏ ଗଛର ଗଣ୍ଡିକୁ ରାମ୍ପୁଡ଼ି ତା’ର ଇଲାକା ଚିହ୍ନଟ କରୁଛି। ବାଘର ପିଠି ପଟ କଳା ହୋଇଥିବା ବେଳେ ସୁନେଲୀ ରଙ୍ଗର ଷ୍ଟ୍ରାପ୍ ଥିବା ଦେଖାଯାଉଛି । ସେଥିରେ ସେ ଲେଖିଛନ୍ତି: ଦୁର୍ଲଭ କଳା ବାଘଟାଏ ତା’ର ଇଲାକା ଚିହ୍ନଟ କରୁଥିବାର ମଜାଦାର କ୍ଲପ୍‌ଟିଏ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ସେୟାର୍‌ କରୁଛି।

ଶୁକ୍ରବାର ଆଇଏଫଏସ ସୁଶାନ୍ତ ନନ୍ଦ ବାଘଟିର ଭିଡିଓ ସେୟାର କରି ବାଘ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏଭଳି ବାଘ ପ୍ରଥମେ ୨୦୦୭ରେ ଶିମିଳିପାଳରେ ହିଁ ଦେଖିବାକୁ ମିଳିଥିଲା ବୋଲି ଅନ୍ୟ ଜଣେ ଆଇଏଫଏସ ଅଫିସର ପରବୀନ କସଓ୍ୱାନ ଟ୍ୱିଟ୍ କରିଛନ୍ତି । ବିରଳ ଆନୁବଂଶିକ ଉତପରିବର୍ତ୍ତନ ପାଇଁ ଏଭଳି ବାଘ ଖୁବ୍ କମ ଦେଖାଯାଆନ୍ତି ବୋଲି ପରବୀନ ଟ୍ୱିଟରରେ ଲେଖିଛନ୍ତି ।

ଟୁଇଟର୍‌ରେ ମଜାଦାର ବନ୍ୟପ୍ରାଣୀଙ୍କର ଭିଡିଓ ସେୟାର୍‌କାରୀ ଭାବେ ସୁପରିଚିତ ଅଧିକାରୀଜଣକ କହିଛନ୍ତି, କଳା ବାଘମାନଙ୍କର ‘ଜିନ୍‌ ପୁଲ୍‌’ ଅଭିନବ ଏବଂ ସେମାନଙ୍କର ସଂଖ୍ୟା ବୃଦ୍ଧି କରିବା ଲାଗି ‘ବ୍ୟାଘ୍ର ସଂରକ୍ଷଣ’ ଉଦ୍ୟମ ଚଳାଇଛି। ଗୁଣସୂତ୍ରୀୟ ପରିବର୍ତ୍ତନ ହେତୁ ମହାବଳ ବାଘ ଦେହରେ ଏଭଳି ଚମତ୍କାର ଗାଢ଼ କଳା ପଟା ଦାଗ ସୃଷ୍ଟି ହୋଇଥାଏ। ନିର୍ଦ୍ଦିଷ୍ଟ କୌଣସି ଗୁଣସୂତ୍ର ରୂପାନ୍ତରିତ ହୋଇଯିବା ପରେ କଳା ପଟା ଦାଗ ସବୁ ବଢ଼ି ବଢ଼ି ବାଘର କମଳା ରଙ୍ଗର ଦେହକୁ ଆବୃତ୍ତ କରି ପକାଇଥାଏ। ଚିତାବାଘ କ୍ଷେତ୍ରରେ ମଧ୍ୟ ସେଭଳି ହୋଇଥାଏ।