ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ଆମେରିକାର ଡଲାର ତୁଳନାରେ ପ୍ରଥମଥର ପାଇଁ ଭାରତୀୟ ମୁଦ୍ରାର ମୂଲ୍ୟ ୭୯ ଟଙ୍କା ପାର କରି ଯାଇଛି। ଆଜି ଟଙ୍କା ଆଉ କିଛି ପଇସା ଦୁର୍ବଳ ହୋଇ ୭୯ ଟଙ୍କା ୯୯ ପଇସାକୁ ଖସି ଆସିଛି। ଭାରତରୁ ବିଦେଶୀ ନିବେଶକମାନେ ଷ୍ଟକ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ରହିଛି। ଏହା ବ୍ୟତୀତ ରପ୍ତାନି ତୁଳନାରେ ଆମଦାନି ଅଧିକ ରହିବା ଯୋଗୁଁ ଡଲାରର ଚାହିଦା ବଢ଼ିଛି। ସେଥିପାଇଁ ଟଙ୍କା ଦୁର୍ବଳରୁ ଆହୁରି ଦୁର୍ବଳ ହେବାରେ ଲାଗିଛି।

ଦୁର୍ବଳ ଟଙ୍କା ଭାରତୀୟ ଅର୍ଥନୀତି ପାଇଁ ବହୁ ବଡ଼ ଧରଣର ସମସ୍ୟା ସୃଷ୍ଟି କରିବ। ବିଶେଷ କରି ବ୍ୟାଙ୍କ, ଆମଦାନିକାରୀ ଓ ବିଦେଶରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନେ ଅଧିକ ପ୍ରଭାବିତ ହେବେ। ଯେଉଁମାନେ ଡଲାର ଆବଶ୍ୟକ କରୁଛନ୍ତି ସେମାନଙ୍କୁ ତାହା ପାଇବା ଲାଗି ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଗତ ଫେବ୍ରୁଆରି ପରଠାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୨୭ ଥର ହ୍ରାସ ପାଇଲାଣି।

ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଜି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ତଳକୁ ଖସିଛି। ଫଳରେ ଏହା ରେକର୍ଡ ୭୯.୦୪ ଟଙ୍କାରେ ପହଞ୍ଚି ଯାଇଛି। ପୂର୍ବରୁ କେବେ ହେଲେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏତେ ଦୁର୍ବଳ ହୋଇ ନଥିଲା।

ଆଜି ବଜାର ଖୋଲିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୮.୮୬ ଥିଲା। ହେଲେ ସମୟ ବଢ଼ିବା ସହ ବଜାର ବନ୍ଦ ହେବା ବେଳକୁ ଏହା ୭୯.୦୪ ଟଙ୍କାରେ ପହଞ୍ଚି ଯାଇଛି। ମଙ୍ଗଳବାର ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୪୮ ପଇସା ହ୍ରାସ ପାଇ ୭୮.୮୫ରେ ପହଞ୍ଚିଥିଲା। କେବଳ ମଙ୍ଗଳବାର କିମ୍ବା ବୁଧବାର ନୁହେଁ ଗତ ୬ଟି କାର୍ଯ୍ୟ ଦିବସରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ବ୍ୟବସାୟୀମାନେ ସାମଗ୍ରୀ ଆମଦାନୀ କରିବାରେ ବେଶ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଟଙ୍କା ଦୁର୍ବଳ ହେଉଥିବାରୁ ଦେଶରେ ମଧ୍ୟ ଦରଦାମ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।