ବଲାଙ୍ଗୀର: ଭିଜିଲାନ୍ସା ଜାଲରେ ପଡ଼ିଥିବା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆଇଆଇସି ବିନୋଦ ବିହାରୀ ନାୟକ । ଗତକାଲି କାରରେ ୨ ଲକ୍ଷ ଟଙ୍କା ନେଇ ଯାଉଥିବା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପୁଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କୁ ଭିଜିଲାନ୍ସ ଧରିଥିବାବେଳେ ଆଜି ତାଙ୍କ ଘରେ ଚଢ଼ାଉ କରାଯାଇଛି | ଆଜି ବଙ୍ଗୋମୁଣ୍ଡା ଥାନାରେ ଭିଜିଲାନ୍ସ ଦଳ ପହଞ୍ଚିଥିବାବେଳେ ତାଙ୍କ ବଙ୍ଗୋମୁଣ୍ଡା ବାସଭବନରୁ ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା ଜବତ କରାଯାଇଛି |

ଏହାପରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ବଙ୍ଗୋମୁଣ୍ଡା ଥାନା, ସରକାରୀ କ୍ୱାର୍ଟର୍ସ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଘର, ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ପୈତୃକ ଘରେ ଚଢ଼ାଉ କରାଯାଇଥିଲା ।

ସୁନାନୁଯାଇ , ଗତକାଲି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାଧିକାରୀ ବିନୋଦ ବିହାରୀ ନାୟକ ଏକ ସ୍ବିଫ୍ଟ ଡିଜାୟାର କାର୍‌ (ଓଡି ୧୫କେ ୬୧୧୧)ରେ ସମ୍ବଲପୁର ଅଭିମୁଖେ ଯାଉଥିଲେ। ତେବେ ବରାହଗୋଡ଼ାସ୍ଥିତ ଟୋଲ୍‌ଗେଟ୍‌ ପାଖରେ ଗାଡ଼ି ଅଟକିବା ପରେ ତାଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିଲା। ବରଗଡ଼ ଟୋଲଗେଟ୍ ନିକଟରେ ପିଛା କରି ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଯାଞ୍ଚ ବେଳେ କାରରୁ ବିପୁଳ ୨ଲକ୍ଷ ଟଙ୍କା ଓ କିଛି କାଗଜପତ୍ର ଜବତ ହୋଇଥିଲା । ଏତେ ଟଙ୍କା କୁଆଡୁ ଆଣିଲେ ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ବଙ୍ଗୋମୁଣ୍ଡା ଆଇଆଇସି । ପକେଟ୍‌ରୁ ୬,୧୨୦ ଟଙ୍କା ମିଳିଥିଲା। ଚଢ଼ଉ ବେଳେ ବଲାଙ୍ଗୀର ଏବଂ ସମ୍ବଲପୁରର ଭିଜିଲାନ୍ସ ଡିଏସ୍‌ପି ସାମିଲ ଥିଲେ। ଆଉ ଗତକାଲି ଟଙ୍କା ଜବତ ପରେ ଆଜି ଥାନା ଅଧିକାରୀଙ୍କ ବାସଭବରେ ଚଢ଼ାଉ କରାଯାଇଛି |